ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଜାନୁଆରି ୨୮ରୁ ୩୦ତାରିଖ ଯାଏଁ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବେ। ଏହି ସମ୍ମିଳନୀରେ ଦେଶ ବିଦେଶର ଶିଳ୍ପପତି ତଥା ନିବେଶକମାନେ ଯୋଗଦେବେ। ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ରାଜ୍ୟରେ ନିବେଶ ପାଇଁ ଥିବା ସୁଯୋଗ ଓ ସମ୍ଭାବନାକୁ ପ୍ରଦର୍ଶିତ କରିବ ଓଡ଼ିଶା। ଏନେଇ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।
“ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ରାଜ୍ୟ ସରକାର ସବୁ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିରେ ୧୦୦ରୁ ଅଧିକ ଦେଶର ଶିଳ୍ପପତି ତଥା ନିବେଶକମାନେ ଯୋଗ ଦେବେ। ଏହାସହ ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ୧୫୦ ଜଣ ପ୍ରଦର୍ଶକ ସାମିଲ ହେବେ। ଏଥର ଏହି ସମ୍ମିଳନୀରୁ ରାଜ୍ୟ ସରକାର ୫ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ଲକ୍ଷ୍ୟ ରଖିଛନ୍ତି”, କହିଛନ୍ତି ସମ୍ପଦ ଚନ୍ଦ୍ର ସ୍ୱାଇଁ।
ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ଶିଳ୍ପ ଭିତ୍ତିଭୂମିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ନେଉଛୁ। ନିବେଶକମାନଙ୍କୁ ରାଜ୍ୟ ସରକାର ସବୁ ପ୍ରକାର ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବେ। ଓଡ଼ିଶାରେ ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ନିବେଶ, ଅନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ ରହିଛି।”
ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶିଳ୍ପ ଓ ନିବେଶ ସମ୍ବନ୍ଧୀୟ ଏକାଧିକ ବୈଷୟିକ ସେସନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏଥିରେ ଷ୍ଟାର୍ଟଅପ ଓଡ଼ିଶା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ଗୁରୁତ୍ଵ ଦିଆଯିବ। ଏହାସହ ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ଵତନ୍ତ୍ର ସେସନର ଆୟୋଜନ କରାଯିବ। ଏଥର ଟେକ୍ସଟାଇଲ୍ସ, ପେଟ୍ରୋ କେମିକାଲ୍ସ ଓ ସବୁଜ ଶକ୍ତି କ୍ଷେତ୍ରରେ ଅଧିକ ନିବେଶ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ କହିଛନ୍ତି।
୧୬ଟି ଦେଶ ଏଥର ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସହଭାଗୀ ହୋଇଛନ୍ତି। ସେହିସବୁ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, କନସୁଲ ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ବରିଷ୍ଠ କୂଟନୀତିଜ୍ଞ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଯୋଗ ଦେଇଥିଲେ।
Tags: #UtkarshaOdisha #MakeinOdishaConclave2025 #Investment #Industries #Odisha