ଓଡ଼ିଶାଲାଇଭ୍ ବ୍ୟୁରୋ

“ଦୁଇଦିନି ଧରି ଚାଲିଥିବା ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ ଆମ ପାଇଁ ଅପାର ସଫଳତା ଆଣିଦେଇଛି। ଆଶାଠାରୁ ଅଧିକ ନିବେଶ ଆସିଛି। ଦେଶ ବିଦେଶର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ, ନିବେଶକ ଓ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହୋଇ ଶିଳ୍ପର ଏହି ମହାକୁମ୍ଭକୁ ସଫଳ କରିଛନ୍ତି,” ଉତ୍କର୍ଷ ଓଡ଼ିଶା କନକ୍ଲେଭର ଦ୍ଵିତୀୟ ଦିନରେ ଏହିଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସମୁଦାୟ ୧୪୫ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି। ଏହି ଏମଓୟୁ ଦ୍ଵାରା ଓଡ଼ିଶାର ଶିଳ୍ପକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ ଏବଂ ବିଶ୍ୱସ୍ତରୀୟ ଶିଳ୍ପସଂସ୍ଥାମାନଙ୍କ ସହିତ ସହଭାଗୀତାର ନୂଆ ଯୁଗ ଆରମ୍ଭ ହେବ।
ଏହି ଏମଓୟୁ ଜରିଆରେ ଓଡ଼ିଶାକୁ ମୋଟ ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ। କେମିକାଲ୍ସ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ୍ସ, ମାଇନିଙ୍ଗ ଓ ମେଟାଲର୍ଜି, ନବୀକରଣୀୟ ଶକ୍ତି, ଆଇଟି, ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ପରି ବିଭିନ୍ନ କ୍ଷେତ୍ରରୁ ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହା ଦ୍ୱାରା ରାଜ୍ୟରେ ୮ ଲକ୍ଷ ୯୪ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମଓୟୁ ବ୍ୟତୀତ ଆଉ ୩.୮୪ ଲକ୍ଷ କୋଟି ଟଙ୍କାର ୪୪୮ଟି ପୁଞ୍ଜିନିବେଶ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହା ଦ୍ୱାରା ୩.୯୨ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି।
ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ମୋଟ ୨୦ଟି ସେକ୍ଟରରେ ୫୯୩ଟି ପ୍ରକଳ୍ପ ପାଇଁ ୧୬.୭୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହା ଦ୍ୱାରା ୧୨.୮୮ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ ଆଦି ୧୬ଟି ଦେଶର ପ୍ରତିନିଧି ଏହି କନକ୍ଲେଭରେ ଯୋଗ ଦେଇଥିଲେ। ବିଶ୍ୱ ନିବେଶ ମାନଚିତ୍ରରେ ଓଡ଼ିଶା ସ୍ଵତନ୍ତ୍ର ସ୍ଥାନ ପାଇଛି।
ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ବୟନ ଶିଳ୍ପ ଓ ପୋଷାକ, ନବୀକରଣୀୟ ଶକ୍ତି, ସ୍କିଲ୍ଡ ଇନ୍ ଓଡ଼ିଶା, ମହିଳାମାନଙ୍କ ପାଇଁ ଉଦ୍ୟୋଗ ସ୍ଥାପନ, ପର୍ଯ୍ୟଟନ, ସର୍କୁଲାର ଇକୋନମି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ, ଫାର୍ମା ଓ ବାୟୋଟେକ୍ ଏବଂ ଶିଳ୍ପ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରୀୟ ଶିଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସବୁ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ଓ ଅଭିବୃଦ୍ଧି ପାଇଁ ବିଭିନ୍ନ ରଣନୀତି ଉପରେ ପ୍ରସ୍ତାବ ରଖାଯାଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି। ବିକଶିତ ଭାରତ ଗଠନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ। ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Tags: #UtkarshOdishaMakeInOdishaConclave2025 #UtkarshOdishaConclave #MoU #InvestOdisha #CMMohanCharanMajhi #CMOdisha


















