ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ିଲା ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ ପାଇଁ ସମୟ ସୀମା। ଆସନ୍ତା ଫେବ୍ରୁଆରି ୧୫ ତାରିଖ ପର୍ଯ୍ୟନ୍ତ ଇ-କେଓ୍ଵାଇସି ଅପଡେଟ କରିପାରିବେ ହିତାଧିକାରୀ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ରାସନ କାର୍ଡ ଇ-କେଓ୍ଵାଇସି ଅପଡେଟ ଲାଗି ପୂର୍ବରୁ ଜାନୁଆରି ୩୧ ଶେଷ ତାରିଖ ଥିଲା। ତେବେ ଏହାର ସମୟ ସୀମା ବୃଦ୍ଧି କରିବା ଲାଗି ଏକାଧିକ ନିବେଦନ କରିଥିଲେ ହିତାଧିକାରୀ। ଏହାକୁ ଦୃଷ୍ଟିରେ ରଖି ଏହି ସମୟ ସୀମାକୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ଜାନୁଆରି ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ହିତାଧିକାରୀ ଇ-କେଓ୍ଵାଇସି ଅପଡେଟ କରିଥିବାବେଳେ ପ୍ରାୟ ୩୯ ଲକ୍ଷ ହିତାଧିକାରୀ ଇ-କେଓ୍ଵାଇସି ଅପଡେଟ କରିନାହାନ୍ତି। ଅଯୋଗ୍ୟ ଓ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିବାରୁ ଇ-କେଓ୍ଵାଇସି ଅପଡେଟ କରାଯାଇପାରୁ ନଥିବା ମନ୍ତ୍ରୀ କହିଛନ୍ତି।

ଅନ୍ୟ ପକ୍ଷରେ ସରକାରୀ ଚାକିରିଆ ଏବଂ ଇନକମ ଟ୍ୟାକ୍ସ ଦେଉଥିବା ବ୍ୟକ୍ତି ଯଦି ରାସନକାର୍ଡରୁ ସୁବିଧା ପାଉଛନ୍ତି, ତେବେ ତୁରନ୍ତ କାର୍ଡ ଫେରାଇବା ଲାଗି ମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏ ନେଇ ଯଦି ପ୍ରମାଣ ମିଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

Tags: #RationCard #EKYC #OdishaGovt

LEAVE A REPLY

Please enter your comment!
Please enter your name here