ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଅନ୍ତର୍ଜାତୀୟ ସଂସ୍କୃତି ମହୋତ୍ସବ ‘ଉନୁରୁମ୍’। ମହୋତ୍ସବର ଦ୍ୱିତୀୟ ଦିନରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ‘କବିତା ପାଠ ଉତ୍ସବ’ ଅନୁଷ୍ଠିତ ହୋଇଥିଲା।
ବାଲେଶ୍ୱର ତଥା ସ୍ଥାନୀୟ ଅଞ୍ଚଳର ୧୭ ଜଣ ଜଣାଶୁଣା କବି କବିତା ପାଠ ଉତ୍ସବରେ ଅଂଶଗ୍ରହଣ କରି ଜନଜାତି ପ୍ରସଙ୍ଗରେ ସ୍ଵରଚିତ କବିତା ଆବୃତ୍ତି କରିଥିଲେ।
‘କବିତା ପାଠ ଉତ୍ସବ’ରେ ନିମନ୍ତ୍ରିତ କବିମାନଙ୍କ ମଧ୍ୟରେ କୃଷ୍ଣ କୁମାର ମହାନ୍ତି, ଅଭୟ ଦାସ, କାଳିପଦ ପଣ୍ଡା, କଲ୍ୟାଣୀ ନନ୍ଦ, ଦେବଯାନୀ ଦାସ, ପ୍ରଦୀପ୍ତ ମିଶ୍ର, ବିମଳ ଜେନା, ବଂଶୀଧର ଚୌଧୁରୀ, ମନସ୍ଵିନୀ ଦେବୀ, ଯଶୋଧାରା ଦାସ, ରତ୍ନାକର ସିଂ, ରାଧାରଞ୍ଜନ ପଟ୍ଟନାୟକ, ଶୁଭେନ୍ଦୁ ଦାସ, ଶ୍ରୀଦେବ, ସମରେନ୍ଦ୍ର ନାଥ ମହାପାତ୍ର, ହରିଶ୍ଚନ୍ଦ୍ର ବେହେରା ଓ ନିରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। କବିମାନଙ୍କର ସ୍ଵରଚିତ କବିତା ଆବୃତ୍ତିରେ ଶ୍ରୋତାମହଲ ମନ୍ତ୍ରମୁଗ୍ଧ ହୋଇଥିଲେ।
କବିତା ଉତ୍ସବ ଶେଷରେ କବିଗଣଙ୍କୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉପାୟନ ଓ ସ୍ମାରକୀ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ।
କବିତା ଉତ୍ସବରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ କବିତା ପାଠ କରିଥିଲେ। ପଠିତ ସମସ୍ତ କବିତା ମୁଖ୍ୟତଃ ଆଦିବାସୀ ଚିନ୍ତାଧାରା, ସେମାନଙ୍କ ଜୀବନଶୈଳୀ ଓ ଲୋକକଥା ଉପରେ ଆଧାରିତ ଥିଲା।
ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପ୍ରଫେସର ଦେବାଶିଷ ପାତ୍ର ଓ ଅଧ୍ୟାପକମାନେ ନିଜ ରଚିତ କବିତା ପାଠ କରିଥିଲେ। ସମଗ୍ର କବିତା ଆସରକୁ ବବୁଲୁ ପଧାନ ଓ ସସ୍ମିତା ବେହେରା ସଂଯୋଜନା କରିଥିଲେ। ଏହି ଅବସରରେ ଡାଏନା ମହାପାତ୍ର ଓ ସାଥୀଙ୍କ କଳା ପ୍ରଦର୍ଶନ ହୋଇଥିଲା।
୩୧ ତାରିଖ ଏହି ଆନ୍ତର୍ଜାତିକ ଉତ୍ସବର ଶେଷ ଦିନ ରହିଛି। ଉତ୍ସବରେ ଜନସାଧାରଣ ସାମିଲ ହେବା ଲାଗି ବିଶ୍ଵବିଦ୍ୟାଳୟର ପକ୍ଷରୁ ଅନୁରୋଧ କରାଯାଇଛି।
Tags: #InternationalFestival #Unurum #FakirMohanUniversity #Balasore #Odisha