ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଶୁକ୍ରବାର ଏହି ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଥିଲେ।
“ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବା ଆମ ପାଇଁ ସୌଭାଗ୍ୟର ବିଷୟ। ଓଡ଼ିଶା କ୍ରିକେଟ୍ ଆସୋସିଏସନର ସବୁ କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହାର ପ୍ରସ୍ତୁତି କାର୍ଯ୍ୟ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି। ୨ ବର୍ଷ ପରେ ଆମ ପାଖକୁ ଏହି ସୁଯୋଗ ଆସିଛି। ଏହି ମ୍ୟାଚ୍ ସଫଳତାର ସହ ଆୟୋଜନ କରିବା ନେଇ ଆମେ ଆଶାବାଦୀ ଅଛୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ମ୍ୟାଚର ଥିମ୍ ସଙ୍ଗୀତ ‘ସ୍ୱାଗତଂ ସୁସ୍ୱାଗତଂ’କୁ ଉନ୍ମୋଚନ କରିଥିଲେ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ, ଅନୁଗୋଳ ବିଧାୟକ ତଥା ଓସିଏର ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଓସିଏର ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
Tags: #IndiavsEngland #ODIMatch #BarabatiStadium #Cricket #CMMohanCharanMajhi #Odisha