ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଦେଶର ୧୦ଟି ପ୍ରମୁଖ କ୍ଷେତ୍ରକୁ ବଜେଟରେ ଗୁରୁତ୍ଵ ମିଳିଛି।
ସ୍ଵାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ଵ
ଚଳିତ ବର୍ଷ ବଜେଟରେ ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ୯୮ ହଜାର ୩୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହା ପ୍ରାୟ ୧୦ ହଜାର କୋଟି ଟଙ୍କା ରହିଛି।
ଆୟୁଷମାନ ଭାରତ ଯୋଜନାରେ ୪ ହଜାର ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
୩୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଆମଦାନୀ ଶୁଳ୍କ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ। ସମସ୍ତ ସରକାରୀ ଡାକ୍ତରଖାନାରେ କ୍ୟାନ୍ସର ଡେ’ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ। କର୍କଟ ଚିକିତ୍ସା ପାଇଁ ଔଷଧ ଶସ୍ତା ହେବ। ୬ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ସୀମା ଶୁଳ୍କ ୫ ପ୍ରତିଶତ ଧାର୍ଯ୍ୟ କରାଯିବ।
ସଶକ୍ତ ହେବେ ମହିଳା
ପ୍ରଥମ ଥର ଲାଗି ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ୫ ଲକ୍ଷ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା ଆରମ୍ଭ ହେବ। ଆଗାମୀ ୫ ବର୍ଷରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଦୀର୍ଘ ମିଆଦୀ ଋଣ ପ୍ରଦାନ କରିବାକୁ ଯୋଜନା ହୋଇଛି। ସେହିପରି ଏସଏଚଜି ଗ୍ରୁପଗୁଡ଼ିକୁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।
ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସକ୍ଷମ ଅଙ୍ଗନବାଡ଼ି ଯୋଜନା ଆସିବ। ଏଥିରେ ୮ କୋଟି ପିଲା ଓ ୧ କୋଟି ଗର୍ଭବତୀ ମହିଳା ଉପକୃତ ହେବେ।
ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ
ଚଳିତ ବିଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି। ଭାରତନେଟ୍ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବ। ସ୍କୁଲରେ ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।
ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ୧୦ ହଜାର ଫେଲୋସିପ୍ ପ୍ରଦାନ କରାଯିବ।
ସେହିପରି ଭାରତରେ ଯୁବବର୍ଗଙ୍କ ଦକ୍ଷତା ବିକାଶ ପାଇଁ ୫ଟି ଅନ୍ତର୍ଜାତୀୟ ସ୍ତରର ଅତ୍ୟାଧୁନିକ ଶିକ୍ଷା ଅନୁଷ୍ଠାନ ଖୋଲାଯିବାକୁ ଯୋଜନା ରହିଛି।
୫ଟି ଆଇଆଇଟିରେ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି କରାଯିବ। ଏହାବ୍ୟତୀତ ଆଇଆଇଟି ପାଟନାର ସମ୍ପ୍ରସାରଣ କରାଯିବ।
ବଢ଼ିବ ନିଯୁକ୍ତି ସୁଯୋଗ
ନିଯୁକ୍ତିକୁ ମଧ୍ୟ ବଜେଟ୍ ୨୦୨୫-୨୬ରେ ପ୍ରାଧାନ୍ୟ ଦିଆଯାଇଛି। ଜୋତା ଏବଂ ଚମଡ଼ା କ୍ଷେତ୍ର ପାଇଁ ଏକ ଫୋକସ୍ ପ୍ରଡକ୍ଟ ସ୍କିମ୍ ଆରମ୍ଭ କରାଯିବ। ଏହାଦ୍ୱାରା ୨୨ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ। ଏହାସହ ୪ ଲକ୍ଷ କୋଟି ଟଙ୍କାର କାରବାର ହେବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର।
ସେହିପରି ଷ୍ଟାର୍ଟଅପ୍ ପାଇଁ ଏକ ନୂତନ ପାଣ୍ଠି ପ୍ରତିଷ୍ଠା କରାଯିବ, ଯେଉଁଥିରେ ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ସହାୟତା ଉପରେ ଅତିରିକ୍ତ ୧୦,୦୦୦ କୋଟି ଟଙ୍କା ପ୍ରଦାନ କରାଯିବ।
କୃଷି କ୍ଷେତ୍ରକୁ ୧ ଲକ୍ଷ ୫୨ ହଜାର କୋଟି
ନିର୍ମଳା ସୀତାରମଣଙ୍କ ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି। କୃଷି କ୍ଷେତ୍ରର ବିକାଶ ପାଇଁ ମୋଟ ୧ ଲକ୍ଷ ୫୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କୃଷି କ୍ଷେତ୍ରରେ ତୃଣମୂଳ ସ୍ତରରେ ବିକାଶ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ଆଣିବେ କେନ୍ଦ୍ର ସରକାର। ଏଥିରେ ଦେଶର ୧୦୦ଟି କମ୍ ଉତ୍ପାଦନକ୍ଷମ ଜିଲ୍ଲାର ପଞ୍ଚାୟତ ସ୍ତରରେ କୃଷି ଉତ୍ପାଦନ ଏବଂ ସଂରକ୍ଷଣ ବୃଦ୍ଧି କରାଯିବ। ଏହି କାର୍ଯ୍ୟକ୍ରମରେ ୧ କୋଟି ୭୦ ଲକ୍ଷ କୃଷକ ଉପକୃତ ହେବେ।
କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେଶର ୭ କୋଟି ୭୦ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରାଯାଉଛି। ଏହି ଋଣ ସୀମାକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।
କେନ୍ଦ୍ର ସରକାର ଡାଲି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ନାଫେଡ୍ ଏବଂ ଏନସିସିଏଫ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଆଗାମୀ ୪ ବର୍ଷ ମଧ୍ୟରେ ହରଡ଼, ବିରି ଏବଂ ମସୁର ଡାଲିକୁ ଏଜେନ୍ସିଗୁଡ଼ିକରେ ପଞ୍ଜିକରଣ କରି ଚୁକ୍ତିନାମା କରିଥିବା ଚାଷୀଙ୍କଠାରୁ କିଣିବେ।
ସେହିପରି ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହେବା ଲକ୍ଷ୍ୟରେ ୬ ବର୍ଷିଆ ସ୍କିମ୍ କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ କରାଯିବ। ଏହାସହ ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ମାର୍କେଟିଂରେ ଉନ୍ନତି ଆଣିବା ସହ କୃଷକଙ୍କୁ ତାଲିମ ପ୍ରଦାନ କରିବ।
ଦେଶରେ ସାର ଉତ୍ପାଦନ ବୃଦ୍ଧି ପାଇଁ ଆସାମର ନାମରୂପରେ ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏକ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ
କୋହଳ ହେଲା ଆୟକର ସୀମା
ଶନିବାର ଦିନ ସଂସଦରେ ଆଗତ ହୋଇଛି ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶରେ ଚାଲୁ ରହିଥିବା ନୂଆ ଆୟକର ବ୍ୟବସ୍ଥାର ଆୟକର ସୀମାକୁ ନେଇ ବଡ଼ ଘୋଷଣା କରିଛନ୍ତି।
ନୂଆ ଆୟକର ବ୍ୟବସ୍ଥା ଅନୁସାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ କିଛି ଆୟକର ଦେବାକୁ ପଡ଼ିବ ନାହିଁ। ୧୨ ଲକ୍ଷ ୭୫ ହଜାର ଟଙ୍କା ଯାଏଁ ଦରମା ପାଉଥିବା ବ୍ୟକ୍ତି ଏହି ସୁବିଧା ପାଇ ପାରିବେ।
ଏବେ ବାର୍ଷିକ ୧୨ ଲକ୍ଷରୁ ୧୬ ଲକ୍ଷ ଟଙ୍କା ଆୟ ପାଇଁ ୧୫ ପ୍ରତିଶତ ଟଙ୍କା ଆୟକର ଦେବାକୁ ପଡ଼ିବ। ସେହିପରି ୧୬ରୁ ୨୦ ଲକ୍ଷ ଟଙ୍କା ଆୟ ପାଇଁ ୨୦ ପ୍ରତିଶତ ଏବଂ ୨୦ରୁ ୨୪ ଲକ୍ଷ ଟଙ୍କା ଆୟ ପାଇଁ ୨୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ଏହାସହ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଆୟକର ଲାଗିବ।
ଅନ୍ୟପଟେ ବାର୍ଷିକ ରେଣ୍ଟ ଉପରେ ଲାଗୁଥିବା ଟିଡିଏସର ସୀମାକୁ ୨ ଲକ୍ଷ ୪୦ ହଜାରରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବୟସ୍କ ବ୍ୟକ୍ତିଙ୍କ ଋଣ ଉପରେ ଲାଗୁଥିବା ଟିଡିଏସର ସୀମାକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଯାଏଁ ବଢ଼ାଯାଇଛି।
ନୂଆ ଆୟକର ସୀମା ଲାଗୁ ହେବାପରେ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ ବାର୍ଷିକ ୮୦ ହଜାର ଟଙ୍କାର ସଞ୍ଚୟ ହେବ। ସେହିପରି ୧୮ ଲକ୍ଷ ଟଙ୍କା ଆୟ ଥିଲେ ବାର୍ଷିକ ୭୦ ହଜାର ଟଙ୍କା ସଞ୍ଚୟ ହେବ।
ଆରବିଆଇର ଲିବରାଲାଇଜଡ୍ ରିମିଟାନ୍ସ ସ୍କିମ୍ (ଏଲଆରଏସ) ଅଧୀନରେ ଥିବା ଟଙ୍କା ଟିସିଏସ ସଂଗ୍ରହର ସୀମା ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବଢ଼ିବ। ପାଠପଢ଼ା ଖର୍ଚ୍ଚ ପାଇଁ ବିଦେଶରୁ ପଠା ଯାଉଥିବା ଟଙ୍କା ଉପରେ ଟିସିଏସ୍ ଛାଡ଼ କରାଯିବ।
ଟିଡିଏସ ଓ ଟିସିଏସ ଦାଖଲରେ ବିଳମ୍ବ ପାଇଁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଉଚ୍ଛେଦ କରାଯିବ। ଏହାସହ ଆଇଟି ରିଟର୍ଣ୍ଣ ଦାଖଲ ସମୟ ସୀମା ବୃଦ୍ଧି କରାଯାଇଛି। ଏହାକୁ ୨ ବର୍ଷରୁ ୪ ବର୍ଷକୁ ବଢ଼ାଯାଇଛି। ଦେଶରେ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ।
Tags: #UnionBudget2025-26 #IncomeTax #NirmalaSitharaman #MinistryofFinance #India #Budget2025 #Health #IncomeTax #Education #Employment #Agriculture #BudgetUpdates