ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସାଂସ୍କୃତିକ ମହୋତ୍ସବ ‘ଉନୁରୁମ’ ଉଦଯାପିତ ହୋଇଯାଇଛି।

ତିନିଦିନ ଧରି ଲୋକସଂସ୍କୃତି, ଲୋକକଳା ଓ ଲୋକନୃନ୍ୟର ଅନନ୍ୟ ମିଶ୍ରଣ ଦେଖିବାକୁ ମିଳିଥିଲା। ‘ଉନୁରୁମ’ର ଅନ୍ତିମ ଦିନରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ‘କାହାଣୀ ଉତ୍ସବ’ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ଓ ଆସାମର ୯ ଜଣ ବିଶିଷ୍ଟ କଥାକାର ଏବଂ ଗାଳ୍ପିକ ଯୋଗ ଦେଇ ସ୍ଵରଚିତ ଲୋକଗଳ୍ପ ପଠନ କରିଥିଲେ।

କାହାଣୀକାର ଉଦୟ ନାରାୟଣ ଦାସ, ଡକ୍ଟର କବିତା ବାରିକ, ନିରଞ୍ଜନ ଖୁଣ୍ଟିଆ, ଡକ୍ଟର ବର୍ଣ୍ଣାଳୀ ଡେକା, ଡକ୍ଟର ଭାଗବତ ଦାସ, ରବି ପଣ୍ଡା, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ସୈରିନ୍ଧ୍ରୀ ସାହୁ, ହେମେନ୍ଦ୍ର ମହାପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇ ଲୋକକଥା, ଜନଜାତିଙ୍କ କାହାଣୀ ଓ ପୁରାତନ ଲୋକକାହାଣୀକୁ ଭିତ୍ତି କରି ଭିନ୍ନ ସ୍ଵାଦର ଗଳ୍ପ ପରିବେଷଣ କରିଥିଲେ।

ଏହି ଅବସରରେ କୁଳପତି ଆମନ୍ତ୍ରିତ ଗାଳ୍ପିକ ଗଣଙ୍କୁ ସମ୍ମାନିତ କରିବା ସହ ଗଳ୍ପ ଲେଖିବା ଓ କହି ଶୁଣାଇବା ଆମ ସଂସ୍କୃତିର ଏକ ଅଂଶ ବୋଲି ଉଲ୍ଲେଖ କହିଥିଲେ। ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର କାହାଣୀ ଉତ୍ସବର ସଞ୍ଚାଳନ କରିବା ସହ ନିଜ ଲିଖିତ ଗଳ୍ପ ପାଠ କରିଥିଲେ।

ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଉଦଯାପନୀ ସମାରୋହରେ କେନ୍ଦୁଝରରୁ ଆସିଥିବା ଅଲେଖ ମହିମା ଖଞ୍ଜଣୀ ଦଳର କଳାକାରଙ୍କ ଦ୍ଵାରା ଖଞ୍ଜଣୀ ଭଜନ ଗାନ କରିଥିଲେ। ଏଥିସହ ଶ୍ରୀଲଙ୍କାରୁ ଆମନ୍ତ୍ରିତ ଚାନ୍ଦିନୀ କସ୍ତୁରୀ ଓ ଦଳଙ୍କ ଦ୍ଵାରା ଭାରତନାଟ୍ୟମ, କଳାହାଣ୍ଡିର କର୍ତ୍ତବ୍ୟ ଘୁମୁରା ନୃତ୍ୟାନୁଷ୍ଠାନ ଦ୍ଵାରା ଘୁମୁରା ନାଚ, ଫକୀର ମୋହନ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ନାଗାଲାଣ୍ଡର ଲୋଥା ଲୋକନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ, ପଶ୍ଚିମବଙ୍ଗର ହଳଦିବାରି କଲେଜର ମାଇମ୍ ଥିଏଟର ଗ୍ରୁପ ଦ୍ଵାରା ମାଇମ୍ ନାଟକ ଆର୍ଟ, ଆସାମର କାମରୂପ କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିହୁ ନୃତ୍ୟ ଓ ଝୁମର ନୃତ୍ୟ ଆଦି ବିଭିନ୍ନ ପ୍ରକାରର ଚିତ୍ତାକର୍ଷକ ନୃତ୍ୟମାନ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ଵର ସ୍ଥିତ ଆଇଏମଆଇ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ସୁପ୍ରିତୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉତ୍ସବରେ ତିନିଦିନ ବ୍ୟାପୀ ଚାଲିଥିବା ଫୋଟଚିତ୍ର ତଥା ଚିତ୍ରକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଚିତ୍ରଶିଳ୍ପୀ ତଥା ନୃତ୍ୟଶିଳ୍ପୀମାନଙ୍କୁ ପ୍ରଫେସର ସୁପ୍ରିତୀ ମିଶ୍ର ଓ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମ୍ମାନିତ କରିଥିଲେ।

ବିଶ୍ଵବିଦ୍ୟାଳୟ ଏନଏସଏସର ସମସ୍ତ ସ୍ଵେଚ୍ଛାସେବୀଙ୍କ ତିନିଦିନର ନିରବଚ୍ଛିନ୍ନ ସେବାକୁ କୁଳପତି, କୁଳସଚିବ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ପ୍ରଶଂସା କରିବା ସହ ଏନଏସଏସର ସଂଯୋଜକ ଡକ୍ଟର ପ୍ରତିମା ପ୍ରଧାନଙ୍କୁ ସମ୍ମାନିତ କରିଥିଲେ।

ଏହା ସହିତ ଏହି ଆନ୍ତର୍ଜାତିକ କଳା, ସଂସ୍କୃତି ଓ ସାହିତ୍ୟର ପ୍ରତୀକ ‘ଉନୁରୁମ’ ଉତ୍ସବର ସଫଳ ରୂପାୟନକୁ ନେଇ କୁଳପତି ପ୍ରଫେସର ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜକ, ଆୟୋଜକ ଓ ସମସ୍ତଙ୍କ ମହତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।

Tags: #InternationalFestival #Unurum #FakirMohanUniversity #Balasore #Odisha

LEAVE A REPLY

Please enter your comment!
Please enter your name here