ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟରେ ‘ବିକଶିତ ଭାରତ’ ପ୍ରସଙ୍ଗରେ ଏକ ୨ ଦିନିଆ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଲୋଚନାଚକ୍ରରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଗଣମାଧ୍ୟମର ଭୂମିକା ତଥା ଅବଦାନ ସମ୍ପର୍କରେ ସ୍ଵତନ୍ତ୍ର ଅଧିବେଶନ କରାଯାଇଛି।

ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଇଣ୍ଟରନ୍ୟାସନାଲ କାଉନସିଲ ଅଫ ସୋସିଆଲ ସାଇନ୍ସ ରିସର୍ଚ୍ଚ ଏବଂ ୟୁନିସେଫର ମିଳିତ ସହଯୋଗରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ବିଶ୍ଵଜିତ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗଣତନ୍ତ୍ରରେ ‘ବିକଶିତ’ ଶବ୍ଦର ବ୍ୟବହାର, ଏହାର ଦିଗ ଓ ଉପନିବେଶବାଦ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଉଦବୋଧନରେ ଗଣମାଧ୍ୟମ ସହ ସମସ୍ତେ ନିଜ ନିଜ କ୍ଷେତ୍ରରେ ରହି ‘ବିକଶିତ ଭାରତ- ୨୦୪୭’ ଗଠନ ପ୍ରତି ବିଶେଷ ଅବଦାନ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ସେ ବରିଷ୍ଠ ସାମ୍ବାଦିକ ଶିବ ମହାନ୍ତି ଓ ଅଶୋକ ପ୍ରଧାନଙ୍କୁ ସାମ୍ବାଦିକତା ଓ ଗଣଯୋଗାଯୋଗ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ମାନପତ୍ର ସହ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ଅନ୍ୟପଟେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ରାଜସ୍ଥାନ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ସଞ୍ଜୀବ ଭାନାୱତ, ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ଓ ଆଲିଗଡ଼ ମୁସଲିମ ବିଶ୍ଵବିଦ୍ୟାଳୟର ପ୍ରଫେସର ପୀତବାସ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୯୦ରୁ ଉର୍ଦ୍ଧ ଗବେଷକ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ସେମାନଙ୍କ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିଛନ୍ତି।  ଏହାସହ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ପ୍ରମୁଖ ସାମ୍ବାଦିକତା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗଣମାଧ୍ୟମରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ, ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିଲେ।

Tags: #FakirMohanUniversity #ViksitBharat #NationalSeminar #Baleswar

LEAVE A REPLY

Please enter your comment!
Please enter your name here