ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ। ଏଥିପାଇଁ ଶନିବାର ସନ୍ଧ୍ୟାରେ ଅଭ୍ୟାସ କରିଛି ଟିମ୍ ଇଣ୍ଡିଆ। ଷ୍ଟାଡିୟମରେ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳିଥିଲା।
ଶନିବାର ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି, କେଏଲ୍ ରାହୁଲ, ଯଶସ୍ଵୀ ଜୟସ୍ଵାଲ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜାଙ୍କ ସମେତ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ରନିଂ ଓ ଅନ୍ୟ ଏକ୍ସରସାଇଜ ସହ ଖେଳାଳିମାନେ ପଡ଼ିଆର ସ୍ଥିତି ପରଖିଥିଲେ।
ଭାରତୀୟ ଟିମ୍ ଶନିବାର ଅପରାହ୍ଣରେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ପାଇଁ କଟକ ଅଭିମୁଖେ ବାହାରିଥିଲେ। ଖେଳାଳିମାନଙ୍କୁ ସ୍ଵତନ୍ତ୍ର ବସରେ କଡ଼ା ସୁରକ୍ଷା ମଧ୍ୟରେ ନିଯାଇଥିଲା। ତେବେ ଇଂଲଣ୍ଡ ଦଳ ଅଭ୍ୟାସ କରିବ ନାହିଁ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲା।
ଟିମ୍ ଇଣ୍ଡିଆକୁ ଅଭ୍ୟାସ କରୁଥିବାର ଦେଖିବା ପାଇଁ ବାରବାଟୀ ଷ୍ଟାଡିୟମର କିଛି ଗ୍ୟାଲେରୀ ଦର୍ଶକଙ୍କ ପାଇଁ ଖୋଲା ଯାଇଥିଲା। ଏଥିରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।
ଏହି ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିଲା। ଏବେ ବାରବାଟୀ ଦିନିକିଆ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଅନ୍ୟପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚଟି କର ବା ମର ମୁକବିଲା ହେବ।
Tags: #IndiavsEnglandODI #Cricket #BarabatiStadium #BCCI #Cuttack