ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍। ଏହି ସମୟରେ କଟକରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍‌ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଟକରେ ଟ୍ରାଫିକ୍ କଟକଣା ଜାରି ହୋଇଛି।

ଶନିବାର ଅପରାହ୍ଣରେ ଭାରତୀୟ ଦଳ ନେଟ୍‌ ପ୍ରାକ୍ଟିସ୍‌ କରିବା ପାଇଁ ବାରବାଟୀ ଷ୍ଟାଡିୟମକୁ ଯିବ। ଏଥିପାଇଁ ଶନିବାର କଟକରେ ରାତି ୯ଟା ଟ୍ରାଫିକ୍ କଟକଣା ରହିବ। ଏହାପରେ ରବିବାର ସକାଳ ୮ଟାରୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

କମିଶନରେଟ୍ ପୋଲିସର ନିର୍ଦ୍ଦେଶ ଅନୁସାରେ ମାତାମଠ ପଟୁ ରିଂ ରୋଡ଼ରେ ଆସିଥିବା ସମସ୍ତ ଯାନବାହାନ ଗୁଡ଼ିକ ଗଡ଼ଗଡ଼ିଆ ମନ୍ଦିର ପଛରୁ ଡାହାଣ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ିଗୁଡିକ ପାକିଂ କରିପାରିବେ। ରବିବାର ସକାଳ ୮ଟାରୁ କୌଣସି ଭରିଯାନ ରିଂ ରୋଡ଼ରେ ଚଳାଚଳ କରିପାରିବ ନାହିଁ।

ହାୱଡ଼ା ମୋଟର ଓ ମଣିସାହୁ ଛକ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ସିଧା ଗ୍ରୀନାର ହୋଟେଲ ଛକରୁ ସିଧା ମଧୁସୂଦନ ଛକ ଆଡ଼କୁ ଯାଇ ପାରିବେ ନାହିଁ। ସେମାନେ ପୁରୁଣା ଲ’ ହଷ୍ଟେଲ ଛକ ଦେଇ ରିଂ ରୋଡରେ ଯାଇ ମୁଖ୍ୟ ବିଚାରପତିଙ୍କ ବାସଭବନ ପଛ ପଟ ଗଡ଼ାର ଡାହାଣକୁ ଯାଇ ବାଲିଯାତ୍ରା ପଡ଼ିଆରେ ନିଜ ଗାଡ଼ି ପାକିଂ କରିପାରିବେ।

ଦୁଇଚକିଆ ଯାନ ବ୍ୟତୀତ, ବିଜୁ ପଟ୍ଟନାୟକ ଛକ ଓ ଚଣ୍ଡୀ ଛକ ଆଡୁ ଆସୁଥିବା ଯାନବାହାନଗୁଡ଼ିକ ଦୟାଶ୍ରମ ଛକ ଓ ଚଣ୍ଡୀ ଛକରୁ ବାରବାଟୀ ଷ୍ଟାଡିୟମ୍‌ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ଦୟାଶ୍ରମ ନିକଟରେ ଥିବା ପାକିଂରେ ଗାଡ଼ି ରଖିପାରିବେ ।

ବିଜୁ ପଟ୍ଟନାୟକ ଛକ ବା ମଧୁସୂଦନ ନଗର ପଟୁ ଆସୁଥିବା ଯାନବାହାନଗୁଡ଼ିକ ଆନନ୍ଦ ଭବନ ନିକଟରେ ଥିବା ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାକିଂ କରିପାରିବେ। ଏହାସହ ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂ ରୋଡରେ ଗଡଗଡେଶ୍ଵର ମନ୍ଦିର ଆଡ଼କୁ ଆସୁଥିବା ଯାନବାହାନଗୁଡ଼ିକ କାର୍ତ୍ତିକେଶ୍ଵର ଗଡ଼ାର ବାମକୁ ଗାଡ଼ି ଷ୍ଟାଣ୍ଡରେ ପାକିଂ କରିପାରିବେ।

ସେହିପରି ସମାଜ ଅଫିସ୍ ଛକ ପଟୁ ଆସୁଥିବା ଯାନବାହାନଗୁଡ଼ିକ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ଚଣ୍ଡୀ ଛକ ଦେଇ ଆନନ୍ଦ ଭବନ ନିକଟରେ ଥ‌ିବା ଖ୍ରୀଷ୍ଟିୟାନ୍ ପଡ଼ିଆରେ ଗାଡ଼ି ପାକିଂ କରିପାରିବେ।

ରିଜର୍ଭ ପୁଲିସ ଲାଇନ୍ ପଟୁ ଆସୁଥିବା ଯାନବାହାନଗୁଡ଼ିକ ଓଡ଼ିଶା ପୁଲିସ ସଂଘ ଠାରୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ।

Tags: #IndiavsEnglandODI #BarabatiStadium #TrafficAdvisory #CommissioneratePolice #Cuttack

Comment