ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଦିନିକିଆକୁ ଜିତି ନେଇଛି ଭାରତ। ଏହି ମ୍ୟାଚ ଜିତିବା ସହ ସିରିଜ୍ କବ୍ଜା କରିଛି ଟିମ୍ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମା ନିଜର ଦମଦାର ଶତକ ସହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି।ଏହାସହ ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ଏହି ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।
ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଦୁଇ ଓପନର ଫିଲିପ୍ ସଲ୍ଟ ଓ ବେନ୍ ଡକେଟ ଦାୟିତ୍ଵର ସହ ପାଳି ଆରମ୍ଭ ଭଲ ସ୍କୋର କରିଥିଲେ।
ଦଳୀୟ ସ୍କୋର ୮୧ ହୋଇଥିବା ବେଳେ ଫିଲିପ୍ ସଲ୍ଟ ୨୬ ରନ୍ କରି ପାଭିଲିୟନ ଫେରିଯାଇଥିଲେ। ପରେ ଇଂଲଣ୍ଡର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଧୀରେ ଧୀରେ ରନ୍ ସଂଗ୍ରହ କରିଥିଲେ। ଫଳରେ ଦଳ ୩୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା।
ଭାରତ ୩୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ୧୩୬ ରନର ପାର୍ଟନରସିପ କରିଥିଲେ। ଫଳରେ ଦଳ ଏକ ଦୃଢ଼ ସ୍ଥିତିରେ ପହଞ୍ଚିଥିଲା। ପ୍ରଥମ ଓ୍ଵିକେଟରେ ଶୁଭମନ ଗିଲ୍ ୬୦ ରନ୍ କରି ଆଉଟ ହୋଇଯାଇଥିଲେ। ଏହାପରେ ବିରାଟ କୋହଲୀ ମଧ୍ୟ ୫ ରନରେ ଆଉଟ୍ ହୋଇଥିଲେ।
୨ଟି ୱିକେଟ୍ ହରାଇବା ପରେ ରୋହିତ ଶର୍ମା ଓ ଶ୍ରେୟସ ଆୟରଙ୍କ ଭାଗିଦାରୀ ଦଳକୁ ବିଜୟ ଅଭିମୁଖେ ନେଇଯାଇଥିଲା। ଏଥିରେ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସମ୍ପୂର୍ଣ୍ଣ ଷ୍ଟାଡିୟମରେ କ୍ରିକେଟ୍ ପ୍ରେମୀଙ୍କୁ ଉତ୍ସାହିତ କରିଥିଲା।
ରୋହିତ ୧୧୯ ରନ କରି ଆଉଟ ହୋଇଯାଇଥିବାବେଳେ ଶ୍ରେୟସ ଆୟର, ଅକ୍ଷର ପଟେଲ ତଥା ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲା। ଭାରତ ୪୪.୩ ଓଭରରେ ହିଁ ଟାର୍ଗେଟ ହାସଲ କରିନେଇଥିଲା।
ବାରବାଟୀ ଦିନିକିଆ ଜିତି ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜକୁ ୨-୦ରେ କବ୍ଜା କରିଛି। ଏହାପରେ ଉଭୟ ଦଳ ଅହମଦାବାଦରେ ସିରିଜର ଶେଷ ଦିନିକିଆରେ ମୁହାଁମୁହିଁ ହେବେ।
Tags: #IndiavsEnglandODI #RohitSharma #Cricket #BarabatiStadium #BCCI #Cuttack


















