ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଆଜି ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ମ୍ୟାଚ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟ ଦେଖିବାକୁ ମିଳିଛି ଭରପୁର ଉତ୍ସାହ। ଏହି ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିଲା। ଏବେ ବାରବାଟୀ ଦିନିକିଆ ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।
ଇଂଲଣ୍ଡ ବିପକ୍ଷ ବାରବାଟୀ ଦିନିକିଆରେ ବ୍ୟାଟିଂରେ ଶୁଭମନ ଗିଲ, ଯଶସ୍ଵୀ ଜୟସ୍ଵାଲ, ଶ୍ରେୟସ ଆୟର, କେ ଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ତେବେ ଇଂଲଣ୍ଡର ବୋଲରଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟରମାନେ ନିଜକୁ ପ୍ରସ୍ତୁତ କରୁଛନ୍ତି।
ତେବେ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ କେମିତି ରହିବ ତାହା ଦେଖିବାକୁ ବାକି ରହିଲା। ଏହାସହ ମହମ୍ମଦ ଶାମି, ହର୍ଷିତ ରାଣାଙ୍କ ଦ୍ରୁତ ବୋଲିଂ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କ ସ୍ପିନ ପ୍ରଦର୍ଶନ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିବ।
ସେହିପରି ପ୍ରଥମ ଦିନିକିଆ ଖେଳିନଥିବା ବିରାଟ କୋହଲୀଙ୍କୁ ବାରବାଟୀରେ ଦେଖିବାକୁ ମିଳିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଆଘାତ ସମସ୍ୟା ଭଲ ହେଇଆସୁଥିବାରୁ ବିରାଟଙ୍କ ଖେଳିବା ନେଇ କ୍ରିକେଟ୍ ପ୍ରେମୀଙ୍କ ଆଶା ଉଜ୍ଜୀବିତ ରହିଛି।
ଅନ୍ୟପଟେ ଇଂଲଣ୍ଡ ପାଇଁ ଏହି ମ୍ୟାଚଟି କର ବା ମର ମୁକବିଲା ହେବ। ଦଳ ଭାରତ ବିପକ୍ଷରେ ପ୍ରଥମ ଦିନିକିଆ ହାରିଥିବାବେଳେ ବାରବାଟୀରେ ହାରିଲେ ସିରିଜ୍ ହାତଛଡ଼ା କରିବ। ଏହାକୁ ଦୃଷ୍ଟିରେ ରଖି ଇଂଲଣ୍ଡ ନିଜ ଦଳରେ କିଛି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।
Tags: #IndiavsEnglandODI #Cricket #BarabatiStadium #BCCI #Cuttack














