ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁ ଗର୍ଭରେ ଆଉ ଏକ ଶିଶୁ ଥିବା କହିଲେ ଯେ କେହିବି ଆଶ୍ଚର୍ଯ୍ୟ ହେବେ। ତା’ଠାରୁ ଆହୁରି ଆଶ୍ଚର୍ଯ୍ୟ କଥା ହେଲା ଉଭୟ ମଧ୍ୟ ମା’ର ଗର୍ଭରେ। ଏହା କୌଣସି ମନଗଢ଼ା କଥା ନୁହେଁ, ମହାରାଷ୍ଟ୍ରର ଘଟଣା।

ମହାରାଷ୍ଟ୍ରର ବୁଲଢ଼ାନା ସରକାରୀ ଡାକ୍ତରଖାନାରେ ଜଣେ ଗର୍ଭବତୀ ମହିଳାଙ୍କର ସୋନୋଗ୍ରାଫି କରାଯାଇଥିଲା। ସୋନଗ୍ରାଫି ରିପୋର୍ଟ ଦେଖି ଚକିତ ହୋଇପଡ଼ିଥିଲେ ଡାକ୍ତର। ସୋନୋଗ୍ରାଫିରେ ମହିଳାଙ୍କ ଗର୍ଭରେ ଶିଶୁକୁ ତ ଦେଖିଥିଲେ, ଗର୍ଭସ୍ଥ ଶିଶୁ ପେଟରେ ଗୋଟିଏ ଶିଶୁ ଥିବା ମଧ୍ୟ ଦେଖିଥିଲେ ଡାକ୍ତର। ଏହାକୁ ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଗର୍ଭବତୀ ମହିଳା। ଏହି ଖବର ଜଣାପଡ଼ିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ବୁଲଢ଼ାନା ଜିଲ୍ଲାର ମୋତାଲା ତହସିଲ ନିକଟସ୍ଥ ଏକ ଗାଁର ଜଣେ ଗର୍ଭବତୀ ମହିଳା ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ଆଣିଥିଲେ। ଡାକ୍ତର ତାଙ୍କର ବିଭିନ୍ନ ପରୀକ୍ଷା କରିବାପରେ ସୋନୋଗ୍ରାଫି ଟେଷ୍ଟ କରିଥିଲେ। ଏହି ସମୟରେ ଭର୍ଗସ୍ଥ ଶିଶୁ ପେଟରେ ଗୋଟିଏ ଶିଶୁ ଥିବା କଥା ଜଣାପଡ଼ିଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଥିଲେ।

ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ଯେପରି କିଛି ସମସ୍ୟା ନହୁଏ, ସେଥିପାଇଁ ତାଙ୍କୁ ସମ୍ଭାଜୀନଗରସ୍ଥିତ ଡାକ୍ତରଖାନାକୁ ରେଫର କରାଯାଇଥିଲା।

ସୋନୋଗ୍ରାଫି ଟେଷ୍ଟ କରିଥିବା ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁଯାୟୀ, “ପ୍ରସବ ପରେ ମହିଳାଙ୍କ କୌଣସି କ୍ଷତି ହେବ ନାହିଁ। ତେବେ ପ୍ରସବ ପରେ ଶିଶୁର ତୁରନ୍ତ ଚିକିତ୍ସା କରାନ ଗଲେ ସମସ୍ୟା ହେବାର ଅଧିକ ସମ୍ଭାବନା ରହିଛି।”

ଡାକ୍ତରୀ ଭାଷାରେ ‘ଫେଟସ ଇନ ଫେଟୋ’ ବା ଭ୍ରୁଣ ଭିତରେ ଭ୍ରୁଣ’ କୁହାଯାଏ। ବିଶ୍ୱରେ ଏମିତି ଘଟଣା ପାଖାପାଖି ୨୦୦ ଜଣଙ୍କଠାରେ ଦେଖିବାକୁ ମିଳିଛି। ଭାରତରେ ଏପରି ମାମଲା ଏବେ ସୁଦ୍ଧା ୧୫ରୁ ୨୦ଟି ରହିଛି ବୋଲି ଡାକ୍ତର କହିଛନ୍ତି।

Tags: #Pregnancy #Fetus #FetusUnderFetus #Sonography #Maharashtra

Comment