ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଢ଼ିବାକୁ ଯାଉଛି ଏନସିସି କ୍ୟାଡେଟଙ୍କ ସଂଖ୍ୟା। ରାଜ୍ୟରେ ଆହୁରି ୩ଟି ଟ୍ରେନିଂ ସେଣ୍ଟର ମଧ୍ୟ ଖୋଲିବ। ଏନେଇ ମଙ୍ଗଳବାର ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛନ୍ତି।
ଓଡ଼ିଶାରେ ଏନସିସି କ୍ୟାଡେଟଙ୍କ ସଂଖ୍ୟା ୬୦ ହଜାର ରହିଛି। ଏହାକୁ ୯୦ ହଜାରକୁ ବଢ଼ାଯିବ। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟାନ୍ୟ ବିଦ୍ୟାଳୟରେ ମଧ୍ୟ ଏନସିସି ଶାଖା ପ୍ରତିଷ୍ଠା କରାଯିବ।
ସେହିପରି କଟକ, ବ୍ରହ୍ମପୁର ଓ ସମ୍ୱଲପୁରରେ ହେବ ଏନସିସିର ଟ୍ରେନିଂ ସେଣ୍ଟର ଖୋଲାଯିବ। କଟକ ଓ ବ୍ରହ୍ମପୁରରେ ଏଥିପାଇଁ ୫ ଏକର ଲେଖାଏଁ ଜମି ଉପଲବ୍ଧ ଥିବାବେଳେ ସମ୍ୱଲପୁରରେ ଏଥିପାଇଁ ୧୦ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର। ଏହାସହ କୋରାପୁଟରେ ଏନସିସିର ଗ୍ରୁପ୍ ହେଡ୍କ୍ୱାଟର୍ସ ମଧ୍ୟ ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯାଇଛି।

ଅନ୍ୟପଟେ ରାଜ୍ୟର ଏନସିସି କ୍ୟାଡେଟମାନେ ବିମାନ ଉଡାଣ ପ୍ରଶିକ୍ଷଣ ମଧ୍ୟ ପାଇବେ। ଏଥିପାଇଁ ଝାରସୁଗୁଡ଼ା ବିମାନବନ୍ଦରରେ ଏକ ହ୍ୟାଙ୍ଗର ପ୍ରତିଷ୍ଠା କରାଯିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୧.୫ କୋଟି ଟଙ୍କା ବ୍ୟୟ ବରାଦ କରାଯିବ।
ଏନସିସି ମହାନିର୍ଦ୍ଦେଶକଙ୍କ ସହ ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଏନସିସିର ଅଧିକାରୀମାନେ ଯୋଗ ଦେଇଥିଲେ।
Tags: #NationalCadetCorps #NCCCadets #Odisha









