ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2025/01/INDIAN-CRICKET-TEAM--1024x576.jpg)
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଆଘାତ ସମସ୍ୟା ଯୋଗୁଁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ତାଙ୍କ ସହ ଯଶସ୍ୱୀ ଜୟସ୍ଵାଲଙ୍କୁ ମଧ୍ୟ ଏହି ଦଳରୁ ବାଦ ଦିଆଯାଇଛି। ଏବେ ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତର ନୂଆ ଦଳ ଘୋଷଣା କରାଯାଇଛି। ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଚାମ୍ପିୟନ୍ସ ଟ୍ରଫି ପାଇଁ ଗତ ଜାନୁଆରି ମାସରେ ଘୋଷଣା ହୋଇଥିବା ଦଳରୁ ୨ ଜଣ ଖେଳାଳି ବାଦ ପଡ଼ିଛନ୍ତି। ବୁମରାହ ଓ ଜୟସ୍ଵାଲଙ୍କ ସ୍ଥାନରେ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତୀଙ୍କୁ ଦଳରେ ସାମିଲ କରାଯାଇଛି। ଏବେ ଯଶସ୍ୱୀ ଜୟସ୍ଵାଲ, ଶିବମ ଦୁବେ ଓ ମହମ୍ମଦ ସିରାଜ ରିଜର୍ଭ ଖେଳାଳି ଭାବେ ଦଳ ସହିତ ରହିବେ।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ। ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଏହାସହ ବିରାଟ କୋହଲି, କେ ଏଲ୍ ରାହୁଲ, ଶ୍ରେୟସ ଅୟର ଓ ରିଷଭ ପନ୍ତ ବିଶ୍ଵକପ ସ୍କ୍ୱାଡରେ ସାମିଲ ରହିଛନ୍ତି। ସେହିପରି ଅଲରାଉଣ୍ଡର ଭାବେ ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କୁ ଟିମରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ବିଶ୍ଵକପରେ ଭାରତର ପେସ୍ ବୋଲିଂ ଦାୟିତ୍ୱ ମହମ୍ମଦ ଶାମି, ହର୍ଷିତ ରାଣା ଓ ଅର୍ଶଦୀପ ସିଂହଙ୍କ ଉପରେ ରହିବ। ସେହିପରି ସ୍ପିନର ଭାବେ କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତୀ ଓ ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ମିଳିଛି।
![](https://odisha.live/wp-content/uploads/2025/02/IMG-20250210-WA0001-300x300.jpg)
୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫେବ୍ରୁଆରି ୧୯ ତାରିଖରେ ପାକିସ୍ତାନରେ ଆରମ୍ଭ ହେବ। କରାଚିରେ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାଉନଥିବାରୁ ଏହା ହାଇବ୍ରିଡ୍ ମଡେଲରେ ଖେଳାଯିବ। ଟିମ୍ ଇଣ୍ଡିଆ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ବୋଲି ଧାର୍ଯ୍ୟ ହୋଇଛି।
ଭାରତ ଫେବ୍ରୁଆରି ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହାପରେ ଫେବ୍ରୁଆରି ୨୩ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଲିଗ୍ ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ।
Tags: #ICCChampionsTrophy2025 #IndianTeam #BCCI #Cricket #Sports #India