ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ପାକିସ୍ତାନରେ ଆରମ୍ଭ ହେଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫। କରାଚିରେ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଫେବ୍ରୁଆରି ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଏନେଇ ନିଜର ପ୍ରସ୍ତୁତି ଜାରି ରଖିଛି ଟିମ୍ ଇଣ୍ଡିଆ।
ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାଉନଥିବାରୁ ଏହା ହାଇବ୍ରିଡ୍ ମଡେଲରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ବୋଲି ଧାର୍ଯ୍ୟ ହୋଇଛି। ଫେବ୍ରୁଆରି ୨୩ ତାରିଖରେ ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ। ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ତେବେ ଆଘାତ ସମସ୍ୟା ଯୋଗୁଁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ତାଙ୍କ ସହ ଯଶସ୍ୱୀ ଜୟସ୍ଵାଲଙ୍କୁ ମଧ୍ୟ ଏହି ଦଳରୁ ବାଦ ଦିଆଯାଇଛି।
ଚାମ୍ପିୟନ୍ସ ଟ୍ରଫିରେ ଖେଳିବାକୁ ଥିବା ୮ଟି ଟିମ୍ ୨ଟି ଗ୍ରୁପରେ ବିଭକ୍ତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟର ୧୨ଟି ମ୍ୟାଚକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ। ଭାରତର ଗ୍ରୁପରେ ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ରହିଛନ୍ତି।
ଭାରତର ମ୍ୟାଚଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ସବୁ ମ୍ୟାଚ ପାକିସ୍ତାନରେ ହେବ। ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୦ ତାରିଖରେ ଲାହୋରରେ ହେବାକୁ ସ୍ଥିର ହୋଇଛି। ତେବେ ଭାରତ ଫାଇନାଲକୁ ଗଲେ ଏହି ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ।
ଜାଣନ୍ତୁ କେଉଁ ଦିନ ଅଛି କେଉଁ ମ୍ୟାଚ
| ତାରିଖ | ମ୍ୟାଚ | ସ୍ଥାନ |
| ଫେବ୍ରୁଆରି ୧୯ | ପାକିସ୍ତାନ – ନ୍ୟୁଜିଲାଣ୍ଡ | କରାଚି |
| ଫେବ୍ରୁଆରି ୨୦ | ଭାରତ – ବାଂଲାଦେଶ | ଦୁବାଇ |
| ଫେବ୍ରୁଆରି ୨୧ | ଆଫଗାନିସ୍ତାନ – ଦକ୍ଷିଣ ଆଫ୍ରିକା | କରାଚି |
| ଫେବ୍ରୁଆରି ୨୨ | ଅଷ୍ଟ୍ରେଲିଆ – ଇଂଲଣ୍ଡ | ଲାହୋର |
| ଫେବ୍ରୁଆରି ୨୩ | ଭାରତ – ପାକିସ୍ତାନ | ଦୁବାଇ |
| ଫେବ୍ରୁଆରି ୨୪ | ବାଂଲାଦେଶ – ନ୍ୟୁଜିଲାଣ୍ଡ | ରାୱଲପିଣ୍ଡି |
| ଫେବ୍ରୁଆରି ୨୫ | ଅଷ୍ଟ୍ରେଲିଆ – ଦକ୍ଷିଣ ଆଫ୍ରିକା | ରାୱଲପିଣ୍ଡି |
| ଫେବ୍ରୁଆରି ୨୬ | ଆଫଗାନିସ୍ତାନ – ଇଂଲଣ୍ଡ | ଲାହୋର |
| ଫେବ୍ରୁଆରି ୨୭ | ପାକିସ୍ତାନ – ବାଂଲାଦେଶ | ରାୱଲପିଣ୍ଡି |
| ଫେବ୍ରୁଆରି ୨୮ | ଆଫଗାନିସ୍ତାନ – ଅଷ୍ଟ୍ରେଲିଆ | ଲାହୋର |
| ମାର୍ଚ୍ଚ ୧ | ଦକ୍ଷିଣ ଆଫ୍ରିକା – ଇଂଲଣ୍ଡ | କରାଚି |
| ମାର୍ଚ୍ଚ ୨ | ଭାରତ – ନ୍ୟୁଜିଲାଣ୍ଡ | ଦୁବାଇ |
| ମାର୍ଚ୍ଚ ୪ | ସେମିଫାଇନାଲ ୧ | ଦୁବାଇ |
| ମାର୍ଚ୍ଚ ୫ | ସେମିଫାଇନାଲ ୨ | ଲାହୋର |
| ମାର୍ଚ୍ଚ ୯ | ଫାଇନାଲ | ଲାହୋର/ଦୁବାଇ |
Tags: #ICCChampionsTrophy2025 #IndianTeam #BCCI #Cricket #Sports #India


















