ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିଲା। ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା। ଏବେ ଜାରି ରହିଥିବା ଇ-କେୱାଇସି ଅପଡେଟ୍ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରା ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ବାବଦରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜବାବ ରଖିଥିଲେ।

“ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା।  ସେଥିରୁ କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ଜଣ ମୃତ ବ୍ୟକ୍ତି ରାସନ କାର୍ଡ ରହିଥିଲା। ସେହିପରି ଗଞ୍ଜାମରେ ୨୫ ହଜାର ୭୮୯ ଜଣ, ମୟୂରଭଞ୍ଜରେ ୨୩ ହଜାର ୭୯୯ ଜଣ ଓ ରାୟଗଡ଼ାରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ଉଠାଯାଉଥିଲା”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି। ଆହୁରି ୩୫ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଇ-କେଓ୍ୱାଇସି ବାକି ରହିଛି। ମାର୍ଚ୍ଚ ୩୧ ତାରିଖ ଭିତରେ ଇ-କେଓ୍ୱାଇସି ନକଲେ ରାସନକାର୍ଡ କଟିଯିବ ବୋଲି ମନ୍ତ୍ରୀ କହିଥିଲେ।

Tags: #RationCard #E-KYC #PublicDistribution #OdishaAssembly #Odisha

Comment