ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆଜି ଅଭିଯାନ ଆରମ୍ଭ କରିବ ଭାରତ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶ ସହ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ। ଏହି ହାଇଭୋଲଟେଜ ମ୍ୟାଚ୍ ଦେଖିବା ଲାଗି କ୍ରିକେଟ୍ପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି।
ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫିରେ ପରସ୍ପରକୁ ଭେଟିବେ ଭାରତ-ବାଂଲାଦେଶ। ଏହାପୂର୍ବରୁ ୨୦୧୭ରେ ପ୍ରଥମ ଥର ପାଇଁ ଦୁଇ ଦଳ ଚାମ୍ପିଅନ୍ସ ଟ୍ରଫିରେ ଆମ୍ନା ସାମ୍ନା ହୋଇଥିଲେ। ସେହି ମ୍ୟାଚ୍କୁ ସହଜରେ ଜିତି ନେଇଥିଲା ଟିମ୍ ଇଣ୍ଡିଆ।
ଅନ୍ୟପକ୍ଷେ ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ହରାଇବାର ସଫଳତା ଲାଭ କରିବା ଆଶାରେ ରହିଛି। ୨୦୨୩ ଏକଦିବସୀୟ ବିଶ୍ଵକପ୍ ପରେ ଭାରତ-ବାଂଲାଦେଶ ପ୍ରଥମ ଥର ଲାଗି ଭେଟାଭେଟି ହେବାକୁ ଯାଉଛନ୍ତି।
୨୦୨୩ ଦିନିକିଆ ବିଶ୍ଵକପ୍ ପରେ ଭାରତ ମାତ୍ର ୩ଟି ଦିନିକିଆ ଶୃଙ୍ଖଳା ଖେଳି ଚାମ୍ପିଅନ୍ସ ଟ୍ରଫିକୁ ଯାଇଛି। ଅନ୍ୟପକ୍ଷରେ ୨୦୨୪ ଆରମ୍ଭ ହେବା ପରଠାରୁ ବାଂଲାଦେଶ ୯ଟି ଦିନିକିଆ ମ୍ୟାଚ ଖେଳିଛି, ସେଥିମଧ୍ୟରୁ ମାତ୍ର ତିନିଟି ଜିତିଛି।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ। ଶୁଭମନ ଗିଲଙ୍କୁ ଟିମ୍ ଇଣ୍ଡିଆର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ତେବେ ଆଘାତ ସମସ୍ୟା ଯୋଗୁଁ ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ତାଙ୍କ ସହ ଯଶସ୍ୱୀ ଜୟସ୍ଵାଲଙ୍କୁ ମଧ୍ୟ ଏହି ଦଳରୁ ବାଦ ଦିଆଯାଇଛି।
ବୁଧବାର ଠାରୁ ପାକିସ୍ତାନର କରାଚିରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇସାରିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ହାରିଛି ପାକିସ୍ତାନ। ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାଉନଥିବାରୁ ଏହା ହାଇବ୍ରିଡ୍ ମଡେଲରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ବୋଲି ଧାର୍ଯ୍ୟ ହୋଇଛି। ଫେବ୍ରୁଆରି ୨୩ ତାରିଖରେ ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ।
Tags: #ICCChampionsTrophy2025 #IndiavsBangladesh #IndianTeam #BCCI #Cricket #Sports #India