ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ମିଳିତ ସହଯୋଗରେ ‘ଭାରତୀୟ ଜ୍ଞାନ ପ୍ରଣାଳୀର ନୂତନ ଦିଗନ୍ତ’ ପ୍ରସଙ୍ଗରେ ତିନିଦିନିଆ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି।

ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀକୁ ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସେ ଭାରତର ପ୍ରାଚୀନ ପରମ୍ପରାରେ ଥିବା ଶିକ୍ଷା ପ୍ରଣାଳୀ, ଚିକିତ୍ସା ବିଜ୍ଞାନ, ଆଧ୍ୟାତ୍ମିକ ଓ ବିଜ୍ଞାନର ପାରସ୍ପରିକ ସମ୍ପର୍କ, ଭାରତୀୟ ମୌଳିକ ସିଦ୍ଧାନ୍ତ, ବୈଦିକ ଜ୍ଞାନର ସଂରକ୍ଷଣ, ଭାରତୀୟ ଭାଷାଗୁଡ଼ିକର ସ୍ଥିତି ଓ ଭବିଷ୍ୟତ ଆଦି ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଏହା ସହ ଜ୍ଞାନ ଅର୍ଜନ କରିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ମୌଳିକ ଅଧିକାର ବୋଲି ସେ କହିଥିଲେ।

ଭାରତର ବିକଶିତ ଓ ସମୃଦ୍ଧ ଜ୍ଞାନ ବିଜ୍ଞାନର ପ୍ରଣାଳୀକୁ ନେଇ ଅଧ୍ୟାପନା, ଗବେଷଣା, ପ୍ରଚାର ତଥା ପ୍ରସାରକୁ ନେଇ ଅଧିକ ଯତ୍ନଶୀଳ ହେବାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମୁଖ୍ୟବକ୍ତା ଭାବେ ଭୁବନେଶ୍ଵରସ୍ଥିତ ଏକାମ୍ର ମହାବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର ଓ ସ୍ଵତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଆଲ୍ଲାହାବାଦ ବିଶ୍ଵବିଦ୍ୟାଳୟର ସଂସ୍କୃତ ବିଭାଗ ପ୍ରଫେସର ଅନୀଲ ପ୍ରତାପ ଗିରି ପ୍ରମୁଖ ଯୋଗଦେଇ ଭାରତର ପରିବର୍ତ୍ତନଶୀଳ ଜ୍ଞାନ ଆହରଣ ପରମ୍ପରା ତଥା ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିଥିଲେ।

ସାମୂହିକ ଶିକ୍ଷା ବ୍ୟବସ୍ଥାରେ ଗବେଷଣା ଓ ପରୀକ୍ଷଣକୁ ପ୍ରାଧାନ୍ୟ ଦେଇ ରାଷ୍ଟ୍ରକୁ ଆଗକୁ ବଢ଼ାଇବା ନିମନ୍ତେ କୁଳପତି ପ୍ରଫେସର ତ୍ରିପାଠୀ ଆହ୍ଵାନ ଦେଇଥିଲେ।

ସମ୍ମିଳନୀର ସ୍ଵାଗତ ଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗ ସମ୍ପର୍କରେ ପ୍ରଫେସର ଦେବାଶିଷ ପାତ୍ର ଅବଗତ କରିଥିଲେ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମକୁ ଡକ୍ଟର ରାଜଶ୍ରୀ ଦତ୍ତ ପରିଚାଳନା କରିଥିବାବେଳେ ଶେଷରେ ସଂସ୍କୃତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: #NationalConference #NewHorizonsOfIndianKnowledge #FMUniversity Balasore #Odisha

Comment