ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଫେବ୍ରୁଆରି ୨୪ରୁ ୨୭ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର – ୨୦୨୫।
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗିତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୫’। ଏହି କାର୍ଯ୍ୟକ୍ରମ ଫେବ୍ରୁଆରି ୨୪ ତାରିଖରୁ ୨୭ ତାରିଖ ଯାଏଁ ଚାଲିବ। କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଏହି ତିନି ଦିନିଆ ମେଗା ଇଭେଣ୍ଟକୁ ଉଦଘାଟନ କରିବେ।
ଓଡ଼ିଶା ଟ୍ରାଭେଲ ବଜାର-୨୦୨୫ରେ ଦେଶ ବିଦେଶର ବହୁ ଟୁର୍ ଓ ଟ୍ରାଭେଲ ଅପରେଟରଙ୍କ ସହିତ ହୋଟେଲିୟର, ପର୍ଯ୍ୟଟନ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗଦେବେ। ଭୁବନେଶ୍ୱର ମେ’ ଫେୟାର କନଭେନସନ ଏହାର ଉଦଘାଟନ ହେବାକୁ ଥିବାବେଳେ ସ୍ୱସ୍ତି ପ୍ରିମିୟମ ହୋଟେଲରେ ଏହାର ପ୍ରଦର୍ଶନୀ ଆୟୋଜିତ ହେବ। ଶନିବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
‘‘ଓଡ଼ିଶାରେ ପର୍ଯ୍ୟଟନର ଅନେକ ସମ୍ଭାର ରହିଛି। ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ଆକର୍ଷିତ କରିବା ଲାଗି ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯାଉଛି। ଓଡ଼ିଶାକୁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବା ଏହାର ଲକ୍ଷ୍ୟ ରହିଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଓଡ଼ିଶା ଟ୍ରାଭେଲ ବଜାର ସହାୟକ ହେବ”, କହିଛନ୍ତି ପ୍ରଭାତୀ ପରିଡ଼ା।
ଏଥର ଓଡ଼ିଶା ଟ୍ରାଭେଲ ବଜାରରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଜର୍ମାନୀ, ବେଲଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ରୁ ଅଧିକ ବିଦେଶୀ ଟୁର ଅପରେଟର (ଏଫଟିଓ) ଅଂଶଗ୍ରହଣ କରିବେ। ଏହାସହ ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହି କାର୍ଯ୍ୟକ୍ରମରେ ଦେଶ ଓ ଦେଶ ବାହାରୁ ଆସିଥିବା ଟୁର୍ ଅପରେଟରମାନେ ଓଡ଼ିଶାର ହୋଟେଲିୟର ଏବଂ ଟୁର୍ ଅପରେଟରମାନଙ୍କ ସହ ବି ଟୁ ବି ଆଲୋଚନା କରିବେ। ଏହାସହ ରାଜ୍ୟ ସରକାରଙ୍କ ସହିତ ବି ଟୁ ଜି ଆଲୋଚନା ମଧ୍ୟ ହେବ।
ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କେମିତି ପ୍ରଚାର ପ୍ରସାର କରାଯିବ ଏବଂ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ କେମିତି ଆକର୍ଷିତ ହେବ ସେ ସମ୍ପର୍କରେ ଏକାଧିକ ବୈଷୟିକ ସେସନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେବ।
୨୦୧୭ରେ ଓଡ଼ିଶା ଟ୍ରାଭେଲ ବଜାରର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା। ଏହାର ସଫଳତା ପରେ ୨୦୧୮ ଏବଂ ୨୦୧୯ରେ ମଧ୍ୟ ଏହା ଆୟୋଜନ କରାଯାଇଥିଲା। ତେବେ କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ୨୦୨୨ରୁ ପୁଣିଥରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି।
Tags: #OdishaTravelBazaar2025 #OdishaTourism #FICCI #Bhubaneswar #Odisha