ଓଡ଼ିଶାଲାଇଭ୍ ବ୍ୟୁରୋ

“ଭାରତର ସାଧାରଣ ନିର୍ବାଚନରେ ହସ୍ତକ୍ଷେପ କରିଥିଲା ଆମେରିକା। ନିର୍ବାଚନରେ କିଛି ନିର୍ଦ୍ଦିଷ୍ଟ ଦଳ ପାଇଁ ଖର୍ଚ୍ଚ ହୋଇଥିଲା ଆମେରିକୀୟ ପାଣ୍ଠି।” ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ ଚହଳ ସୃଷ୍ଟି କରିଛି। ଏହାକୁ ଏନେଇ ଭାରତ ସରକାର ଉଦବେଗ ପ୍ରକାଶ କରିଛନ୍ତି।

ଜୋ ବାଇଡେନଙ୍କ ନେତୃତ୍ଵାଧୀନ ଆମେରିକାର ପୂର୍ବ ସରକାର ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଭାରତରେ କ୍ଷମତାରେ ଥିବା ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଅନୁଦାନ ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବୟାନ ଦେଇଛନ୍ତି ।

“ଯୁକ୍ତରାଷ୍ଟ୍ର ଆମେରିକାର ଏଜେନ୍ସି ଫର୍ ଇଣ୍ଟରନାସନାଲ ଡେଭଲପମେଣ୍ଟ (ୟୁଏସଏଆଇଡ୍) ଭାରତ ସମେତ ଏକାଧିକ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ କାର୍ଯ୍ୟ କରୁଥିଲା। ଜୋ ବାଇଡେନଙ୍କ ପ୍ରଶାସନ ପକ୍ଷରୁ ଏହାକୁ ପୂର୍ଣ୍ଣ ସମର୍ଥନ ମଧ୍ୟ ମିଳିଥିଲା। ଭାରତର ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ୟୁଏସଏଆଇଡ୍ ପକ୍ଷରୁ ୨୧ ମିଲିୟନ ଡଲାର ପାଣ୍ଠି ଦିଆଯାଇଥିଲା”, କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।

ଅନ୍ୟପଟେ ଟ୍ରମ୍ପଙ୍କ ବୟାନ ପରେ ଭାରତ ସରକାର ଆମେରିକାର ଏହି କାର୍ଯ୍ୟକଳାପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି ହୋଇଛି।

“ଆମେରିକାର ପ୍ରଶାସନ ଦ୍ଵାରା ଭାରତୀୟ ନିର୍ବାଚନକୁ ନେଇ କିଛି କାର୍ଯ୍ୟକଳାପ ଏବଂ ପାଣ୍ଠି ଦେବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ। ଭାରତର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ହସ୍ତକ୍ଷେପକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ସମ୍ପୃକ୍ତ ବିଭାଗ ଏବଂ ଏଜେନ୍ସିମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି”, କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ଵାଲ।

ଆମେରିକାର ମାୟାମିରେ ରିପବ୍ଲିକାନ ଗଭର୍ଣ୍ଣର୍ସ ଆସୋସିଏସନ କାର୍ଯ୍ୟକ୍ରମରେ ଟ୍ରମ୍ପ ବକ୍ତବ୍ୟ ଦେଇ ୟୁଏସଏଆଇଡ୍ ସଂସ୍ଥାକୁ ସମାଲୋଚନା କରିଥିଲେ। ତାଙ୍କର ବୟାନ ପରେ ଉଭୟ ଭାରତ ଓ ଆମେରିକାରେ ରାଜନୈତିକ ସ୍ତରରେ ଚହଳ ସୃଷ୍ଟି ହୋଇଛି।

Tags: #DonaldTrump #USAID #IndianElections #ForeignIntervention #MEAIndia

LEAVE A REPLY

Please enter your comment!
Please enter your name here