ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, କବି ତଥା ଅନୁବାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ। ବାଲେଶ୍ଵର ଜିଲ୍ଲାର ରାଜ ନୀଳଗିରି ସ୍ଥିତ ବାସଭବନରେ ବୁଧବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।
ପ୍ରହରାଜ ସତ୍ୟ ନାରାୟଣ ନନ୍ଦଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ୧୯୪୩ ମସିହା ସେପ୍ଟେମ୍ବର ୬ ତାରିଖରେ ରାଜ ନୀଳଗିରିଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରହରାଜ ସତ୍ୟନାରାୟଣ ନନ୍ଦ।
ଜଣେ ପ୍ରଜ୍ଞାବାନ ଓ ସିଦ୍ଧ ସାହିତ୍ୟ ସ୍ରଷ୍ଟା ଭାବେ ସ୍ୱର୍ଗତ ପ୍ରହରାଜ ସାହିତ୍ୟର ସମସ୍ତ ବିଭାଗକୁ ଛୁଇଁ ଯାଇଛନ୍ତି। ତାଙ୍କ ସାହିତ୍ୟକୃତି ମଧ୍ୟରେ ‘ନୀଳ ହଂସର ଜ୍ଵାଳା’, ‘ଅଧପତନର ଛନ୍ଦ’, ‘ଶବ ଅନ୍ୟାନ୍ୟ କବିତା’, ‘ଜିଅନ୍ତା ଶାଳଗ୍ରାମ’, ‘ସପ୍ତଦ୍ୱୀପା ବସୁନ୍ଧରା’, ‘ସନେଟ୍ ସା’, ‘ହିରଣ୍ୟୟେନ ପାତ୍ରେଣ’, ‘ହିରଣ୍ୟୟେନ ସବିତା ରଥେନା’, ‘ବର୍ଷାର ପାଦରେ ନୂପୁର’, ‘ରେଶମୀ ଡୋରରେ ବନ୍ଧା ଗୋଟିଏ ପକ୍ଷୀ’, ‘ନକ୍ଷତ୍ର ସଙ୍ଗମ ଓ ଅନ୍ୟାନ୍ୟ କବିତା’, ‘ଶ୍ରୀରାଧାର ପୂର୍ଣାଙ୍ଗ ଆଲୋଚନା’, ‘ହାତରେ ମଶାଲ ଧରି ପାହାଡ଼କୁ ଉଠୁଥିବା ଲୋକ’, ‘ଶ୍ରେଷ୍ଠ ପ୍ରେମ କବିତା’, ‘ଶ୍ରେଷ୍ଠ ପ୍ରେମ ସନେଟ୍’, ସାତଟି ଦୀର୍ଘ କବିତା ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ କବି ଅନନ୍ତ ପଟ୍ଟନାୟକ ମନୋଗ୍ରାଫ ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ଅବଦାନ। ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ବହୁମୁଖୀ ପ୍ରତିଭା ଓଡ଼ିଆ ସାହିତ୍ୟରେ ଏକ ସ୍ଵତନ୍ତ୍ର ଓ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧିକାର କରିପାରିଛି।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ଯୁଗ୍ମ ଶାସନ ସଚିବ ଦେବପ୍ରସାଦ ଦାଶ, ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।
ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଏବଂ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ଓ କର୍ମକର୍ତ୍ତାମାନେ ସ୍ୱର୍ଗତ ନନ୍ଦଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଅନ୍ୟ ପକ୍ଷରେ ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତ ସମେତ ସମଗ୍ର ବାଲେଶ୍ଵର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ଦେହାନ୍ତ ଖବର ପାଇ କବି ସୂର୍ଯ୍ୟ ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର, ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, କଥାଶିଳ୍ପୀ ଦାଶ ବେନହୂର, କବି ଶଙ୍କର ପରିଡ଼ା, ଗାଳ୍ପିକ ଉଦୟ ନାରାୟଣ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ।
Tags: #PraharajSatyanarayanNanda #OdiaSahityaAcademy #Death #Balasore #Odisha