ଓଡ଼ିଶାଲାଇଭ୍ ବ୍ୟୁରୋ

(ଶରଣକୁଳରୁ ଦୀପକ କର ): ଶିବ ଉପାସନା ପାସନାର ମହାନ ପର୍ବ ମହାଶିବରାତ୍ରୀ। ଓଡ଼ିଶାର ଅଦ୍ଵିତୀୟ ଶୈବକ୍ଷେତ୍ର ନୟାଗଡ଼ ଜିଲ୍ଲା ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ।
ଲଡୁବାବାଙ୍କ ମନ୍ଦିର ଗମ୍ଭୀରା ଭିତରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଓଁ ନମଃ ଶିବାୟ, କାଳ ଭୈରାଷ୍ଟକ ଓ ମହାଦେବଙ୍କ ଗାୟତ୍ରୀ ମନ୍ତ୍ର ଅହରହ ଚାଲିଥିବା ବେଳେ ମନ୍ଦିର ବାହାରେ ଶିବ ପଞ୍ଚକ୍ଷରୀ ମନ୍ତ୍ରରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ଲକ୍ଷାଧିକ ଭକ୍ତଙ୍କ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ପରିବେଶକୁ।
ଶ୍ରୀ ଲଡ଼ୁକେଶ ମହେଶଙ୍କର ଅପାର କରୁଣା ପ୍ରାପ୍ତ କରିବା ପାଇଁ ଓଡ଼ିଶା ତଥା ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତ ପୀଠରେ ଏକାଠି ହୋଇ ଦୀପ ଅର୍ପଣ କରିଥିଲେ।
ମହାଦେବଙ୍କ ପ୍ରିୟ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଓଁ ନମଃ ଶିବାୟ ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ସାରା ପରିବେଶ।
ମହାଶିବରାତ୍ରିର ପୂର୍ବ ରାତି ୧୨ଟାରୁ ଭୋର ୩ଟା ମଧ୍ୟରେ ଅବକାଶ ନୀତି, ବଲ୍ଲବ ନୀତି, ଶଙ୍ଖୁଡ଼ି ଭୋଗ ସମ୍ପର୍ନ୍ନ ହେବାପରେ ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା।
ସନ୍ଧ୍ୟା ୬ଟା ୩୦ଠାରୁ ୭ଟା ୩୦ ପର୍ଯ୍ୟନ୍ତ ଟେରା ନୀତିହେବା ପରେ ରାତି ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହୋଇଥିଲା। ରାତି ୧୧.୩୦ରେ ଲଡ଼ୁବାବାଙ୍କ ବେଢ଼ା ପରିକ୍ରମା ଆରମ୍ଭ ହୋଇ ରାତି ୧୨ଟାରେ ମହାଦୀପ ଉଠିଥିଲା। ପରେ ବେଢ଼ା ପରିକ୍ରମା ସାରି ବଡ଼ ସିଂହାର ଓ ଅନ୍ୟାନ୍ୟ ଦେବନୀତି ସମ୍ପନ୍ନ କରାଯାଇ ମନ୍ଦିର ବନ୍ଦ ହୋଇଥିଲା।
ବର୍ଷରେ ଥରୁଟିଏ ପାଇଁ ମହାଶିବରାତ୍ରି ଅବସରରେ ବାବାଙ୍କଠାରେ ଗୋଟିଏ ଦିନ କେତକୀ ଫୁଲ ଲାଗି ହୋଇଥିଲା। ଚାରି ପ୍ରହରରେ କ୍ଷୀର, ଆଖୁ ରସ, ମହୁ, ଘିଅ, ଦହି ଆଦି ଚାରି ପ୍ରକାର ଦ୍ରବ୍ୟରେ ରୁଦ୍ରାଭିଷେକ କରାଯାଇଥିଲା। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ଵେ ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ବ୍ୟାରିକେଡ଼ ଦେଇ ବାବାଙ୍କ ଦର୍ଶନ କରିଥିଲେ। ବହୁଭକ୍ତ ନିଜ ମାନସିକ ପୂରଣ ପାଇଁ ମନ୍ଦିର ବେଢ଼ାରେ ଗୁହାରିଆ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମନ୍ଦିର ପ୍ରଶାସନ ତରଫରୁ ଭକ୍ତମାନଙ୍କୁ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଛାମୁଣ୍ଡିଆ କରାଯାଇଥିଲା। ଭକ୍ତଙ୍କ ପାଇଁ ଶରଣକୂଳ ପଞ୍ଚାୟତ, ସତ୍ୟସାଇ ସେବା ସଂଗଠନ, ଗ୍ରିନ କ୍ଲବ, ଶରଣକୁଳ ମହାବିଦ୍ୟାଳୟ ତରଫରୁ ପାଣି, ଦହିପଣା ବଣ୍ଟନ ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତାପସ ରଞ୍ଜନ ସେନାପତିଙ୍କ ତତ୍ତ୍ୱାବଧାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯାଇ ଆଶୁ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଇଥିଲା। ଶୈବ ସେବାୟତ ସଂଘ ତରଫରୁ ଏକ ସୂଚନା କେନ୍ଦ୍ର ସ୍ଥାପନ କରାଯାଇ ଯାତ୍ରୀମାନଙ୍କୁ ସୂଚନା ଓ ଧାରା ବିବରଣୀ ପ୍ରଦାନ କରାଯାଇଥିଲା।
ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ କିଛି ସାଧା ପୋଷାକଧାରୀ ପୋଲିସ ମୁତୟନ ହୋଇଥିଲେ।
ସନ୍ଧ୍ୟାରେ ମହାଦେବଙ୍କ ଉଦ୍ଧେଶ୍ୟରେ ମନ୍ଦିରର ବେଢ଼ା, ପୁଷ୍କରିଣୀର ଚତୁଃପାର୍ଶ୍ଵ ଏବଂ ମନ୍ଦିର ସାମନା ରାସ୍ତାରେ ଭକ୍ତମାନେ ଶ୍ରଦ୍ଧାର ସହ ଦୀପ ଜାଳିଥିଲେ।
ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ସମ୍ବିତ ପାତ୍ର, ନୟାଗଡ଼ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଶରଣକୁଳ ଥାନା ଅଧିକାରୀ ପରମାନନ୍ଦ ଦଳେଇ ଓ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ମହାଶିବରାତ୍ରୀରେ ଲଡୁବାବାଙ୍କ ଦର୍ଶନ କରିଥିଲେ।
ଲଡୁବାବାଙ୍କ ମନ୍ଦିରକୁ ଆକର୍ଷଣୀୟ ବିଦ୍ୟୁତ ଆଲୋକରେ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟାରେ ଦେବୋତ୍ତର ବିଭାଗ ତରଫରୁ ଏକ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ମନ୍ଦିର ସୁପରଭାଇଜର ସୁବାସ ଚନ୍ଦ୍ର ବରାଡ଼ ଏବଂ ଶୈବ ସେବାୟତ ସଂଘର ସଭାପତି ଅଶୋକ ମହାପାତ୍ର ଓ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଠାକୁରଙ୍କର ନିର୍ଘଣ୍ଟ ଅନୁସାରେ ନୀତି କରିବା ଓ ଶାନ୍ତିପୂର୍ଣ୍ଣ ଦର୍ଶନ ନିମନ୍ତେ ବ୍ୟବସ୍ଥା କରିଥିଲେ।
ଯାତ୍ରା ପଡ଼ିଆରେ ରାମ ଦୋଳି, ମୀନାବଜାର, ବିଭିନ୍ନ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
Tags: #MahaShivaratri #Devotees #ShivaTemple #Odisha #India