ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାର ରାମ ମନ୍ଦିରରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ସେଥିପାଇଁ ସକାଳୁ ସକାଳୁ ରାମ ମନ୍ଦିରରେ ଲାଗିଛି ଭକ୍ତଙ୍କ ଖଚାଖଚ ଭିଡ଼। ହାଡ଼ ଭଙ୍ଗା ଶୀତକୁ ଖାତିର ନକରି ରାତି ୩ଟାରୁ ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ପାଇଁ ଧାଡ଼ି ଲଗାଇଛନ୍ତି। ମଙ୍ଗଳବାର ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି।  

ରାମ ମନ୍ଦିରରେ ଶ୍ରୀରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଦେଶର କୋଣ ଅନୁକୋଣରୁ ଆସିଥିବା ସବୁ ଭକ୍ତ ଉତ୍କଣ୍ଠାର ସହ ପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି। ‘ଜୟ ଶ୍ରୀରାମ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଛି।

ଅନ୍ୟପଟେ ଏତେ ସଂଖ୍ୟାରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ସଂଖ୍ୟାରେ ପୋଲିସ ଓ ପରାମିଲିଟାରି ଯବାନ ରାମ ମନ୍ଦିର ଆଖପାଖ ଅଞ୍ଚଳରେ ମୁତୟନ ହୋଇଛନ୍ତି।  

ତେବେ ରାମ ମନ୍ଦିରରେ ଦର୍ଶନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲିବ। ତେବେ ମଝିରେ ୧୧ଟା ୩୦ରୁ ଅପରାହ୍ଣ ୨ଟା ଯାଏଁ ଶ୍ରୀରାମଲାଲାଙ୍କ ନୀତିକାନ୍ତି ପାଇଁ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।  

ସେହିପରି ରାମ ମନ୍ଦିରରେ ସବୁଦିନ ସକାଳ ୬ଟା ୩୦ରେ ପହିଲି ଧୂପ, ଦିନ ୧୨ଟାରେ ଭୋଗ ଆଳତି, ସନ୍ଧ୍ୟା ୭ଟା ୩୦ରେ ସନ୍ଧ୍ୟା ଆଳତି ଓ ରାତି ୮ଟା ୩୦ରେ ଅନ୍ତିମ ଆଳତି କାରାଯାଇ ଶ୍ରୀରାମଲାଲାଙ୍କ ଶୟନ ପାଇଁ ବ୍ୟବସ୍ଥା କରାଯିବ।

Tags: #RamMandir #SriRamlala #Devotees #Ayodhya

Comment