ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଶ୍ରୀରାମ ନବମୀ। ଉତ୍ସବମୁଖର ହୋଇଛି ଗାଁରୁ ସହର। ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଉଛି ଏହି ପର୍ବ। ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର। ଅଯୋଧ୍ୟା ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ଚଳିତବର୍ଷ ଶ୍ରୀରାମ ନବମୀ ଅବସରରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମଗମ ହୋଇଛି। ଭକ୍ତମାନେ ବହୁ ଉତ୍ସାହର ସହ ପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକର ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି।  

ସେହିପରି ଶ୍ରୀରାମ ନବମୀ ପାଇଁ ସଜେଇ ହୋଇଛି ଓଡ଼ିଶାର ବିଭିନ୍ନ ସହର। ଭୁବନେଶ୍ୱର ୟୁନିଟ-୩ ସ୍ଥିତ ରାମ ମନ୍ଦିରରେ ମଧ୍ୟ ବୁଧବାର ଭୋରରୁ ନୀତିକାନ୍ତି ହୋଇଛି। ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି। ସମଗ୍ର ଅଞ୍ଚଳ ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସହରରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା ବାହାରିବ। ଏଥିରେ ହଜାର ହଜାର ଭକ୍ତ ସାମିଲ ହେବେ। ରାଜ୍ୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସବୁ ଜିଲ୍ଲାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରଭୁ ଶ୍ରୀରାମ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର। ତାଙ୍କର ଜନ୍ମ ତିଥିକୁ ଶ୍ରୀରାମ ନବମୀ ରୂପେ ପାଳନ କରାଯାଏ। ଶ୍ରୀରାମ ନବମୀ ବ୍ରତ ରଖୁଥିବା ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୂରଣ ହେବାସହ ସେମାନଙ୍କ ପାପ ନାସ ହୋଇଥାଏ ବୋଲି ବିଶ୍ଵାସ ରହିଛି।

Tags: #SriRamNavami #RamMandir #SriRam #Ayodhya #Odisha

LEAVE A REPLY

Please enter your comment!
Please enter your name here