ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିଲା। ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା। ଏବେ ଜାରି ରହିଥିବା ଇ-କେୱାଇସି ଅପଡେଟ୍ ସମୟରେ ସେମାନଙ୍କ ରାସନକାର୍ଡ କଟା ଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
“ରାଜ୍ୟରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ନିଆଯାଉଥିଲା। ସେଥିରୁ କେନ୍ଦୁଝରରେ ସର୍ବାଧିକ ୩୫ ହଜାର ୫୫୦ଜଣ ମୃତ ବ୍ୟକ୍ତି ରାସନ କାର୍ଡ ରହିଥିଲା। ସେହିପରି ଗଞ୍ଜାମରେ ୨୫ ହଜାର ୭୮୯ ଜଣ, ମୟୂରଭଞ୍ଜରେ ୨୩ ହଜାର ୭୯୯ ଜଣ ଓ ରାୟଗଡ଼ାରେ ୨୨ ହଜାର ୪୧୧ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ରାସନ ଚାଉଳ ଉଠାଯାଉଥିଲା”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି। ଆହୁରି ୩୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ଇ-କେଓ୍ୱାଇସି ବାକି ରହିଛି। ମାର୍ଚ୍ଚ ୩୧ ତାରିଖ ଭିତରେ ଇ-କେଓ୍ୱାଇସି ନକଲେ ରାସନକାର୍ଡ କଟିଯିବ ବୋଲି ମନ୍ତ୍ରୀ କହିଛନ୍ତି।
Tags: #RationCard #E-KYC #PublicDistribution #OdishaAssembly #Odisha


















