ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ମିଳିଛି ବଡ଼ ଦାୟିତ୍ଵ। ସେ ଏବେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର (ସେବି) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ତୁହିନକାନ୍ତ ପାଣ୍ଡେ ‘ସେବି’ ଅଧ୍ୟକ୍ଷ ଭାବେ ମାଧବୀ ପୁରୀ ବୁଚ୍‌ଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ। ସେ ମାର୍ଚ୍ଚ ୨ ତାରିଖରେ ଅବସର ନେବା ପରେ ଏହି ପଦରେ ତୁହିନକାନ୍ତ ପାଣ୍ଡେ ଦାୟିତ୍ଵ ତୁଳାଇବେ। ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ।

ତୁହିନକାନ୍ତ ପାଣ୍ଡେ ହେଉଛନ୍ତି ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ। ତାଙ୍କୁ ଆର୍ଥିକ ଏବଂ ଅର୍ଥନୈତିକ ନୀତିର ଜଣେ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ଏବଂ ୟୁକେର ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିଭାଗରେ ଯୋଗଦେବା ପୂର୍ବରୁ ତୁହିନକାନ୍ତ ପାଣ୍ଡେ ଓଡ଼ିଶା ସରକାରଙ୍କ ୪ଟି ପ୍ରମୁଖ ବିଭାଗର ପ୍ରମୁଖ ଶାସନ ଭାବରେ କାର୍ଯ୍ୟ କରିସାରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ବାଣିଜ୍ୟି ଓ ପରିବହନ ଏବଂ ଅର୍ଥ ବିଭାଗରେ ଦୟିତ୍ଵ ତୁଲାଇଛନ୍ତି।

ସେହିପରି ସେ ରାଜ୍ୟ ଅର୍ଥ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ଏହାସହ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମଧ୍ୟ ଥିଲେ।

ସେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅନ୍ତର୍ଗତ ନିବେଶ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ ) ସଚିବ ଭାବରେ କାର୍ଯ୍ୟ କରିଥିଲେ। ଦୀର୍ଘ ଦିନ ଧରି ଅଟକି ରହିଥିବା ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଘରୋଇକରଣ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସେହିପରି ସେ ଭାରତୀୟ ଜୀବନ ବୀମା ନିଗମକୁ (ଏଲଆଇସି) ସେୟାର ବଜାରକୁ ଆଣିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହାସହ ସେ ଜାତିସଂଘ ଶିଳ୍ପ ବିକାଶ ସଂଗଠନ (ୟୁଆଇଏନଡିଓ)ରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି।

Tags: #TuhinKantPandey #IAS #SEBI #DOPT #GovtofIndia

LEAVE A REPLY

Please enter your comment!
Please enter your name here