ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ବିଦାୟ ନେଲେ ଓଲିଉଡ ସିନେମା ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର।
ଗୁରଗାଁଓରୁ ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର ଭୁବନେଶ୍ଵରସ୍ଥିତ ଜଗନ୍ନାଥ ବିହାରରେ ଥିବା ବାସଭବନକୁ ଅଣାଯାଇଥିଲା। ଅନ୍ତିମ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ।
ବର୍ଷିୟାନ ଅଭିନେତାଙ୍କ ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ ବିଭିନ୍ନ ଦଳର ରାଜନେତା, ସିନେ ଇଣ୍ଡଷ୍ଟ୍ରିର ବିଶିଷ୍ଟ ବ୍ୟକ୍ତି ବିଶେଷ, କଳାକାର, ସିନେ ପ୍ରେମୀ ଓ ବନ୍ଧୁ ପରିଜନ। ପରେ ତାଙ୍କୁ ନିଆଯାଇଥିଲା ସତ୍ୟନଗର ଶ୍ମଶାନକୁ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପୁଅ ବାବୁସାନ ମୁଖାଗ୍ନୀ ଦେଇଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ରାତିରେ ଗୁରଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଲିଭର ସୋରିଆସି ରୋଗରେ ପୀଡ଼ିତ ହୋଇ ସେ ମେଦାନ୍ତରେ ଚିକିତ୍ସିତ ହେଉଥିଲେ।
ଫେବ୍ରୁଆରି ୭ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ ଉତ୍ତମ ମହାନ୍ତିଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଫେବ୍ରୁଆରି ୮ ତାରିଖରେ ତାଙ୍କୁ ଭୁବନେଶ୍ଵରରୁ ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ଦୀର୍ଘ ୨୦ ଦିନ ପରେ ସେ ଗୁରୁବାର ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।
ତାଙ୍କ ଦେହାନ୍ତ ଖବର ପରେ ଓଡ଼ିଆ ସିନେ ପ୍ରେମୀ ଓ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ସିନେମା ଜଗତ ପାଇଁ ଅପୂରଣୀୟ କ୍ଷତ ସୃଷ୍ଟି କରିଛି।
Tags: #UttamMohanty #Death #Cremation #StateHonours #Actor #OllywoodActor #OdiaCinema