ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ ଘରୁ ମହାକାଶ ଯାତ୍ରା ସବୁଠି ଆଗରେ ମହିଳା। ଆଜିର ନାରୀ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର କାହାଣୀ ଲେଖୁଛନ୍ତି। ବର୍ତ୍ତମାନ ସେହି କାହାଣୀରେ ନୂଆ ଅଧ୍ୟାୟ ଲେଖିଛନ୍ତି ତନୁଷ୍କା ସିଂ। ୨୪ ବର୍ଷ ବୟସରେ ଭାରତୀୟ ବାୟୁସେନା ଇତିହାସରେ ଯୋଡ଼ିବାକୁ ଯାଉଛନ୍ତି ତନୁଷ୍କା। ଜାଗୁଆର ଫାଇଟର ଜେଟ୍ ସ୍କ୍ୱାର୍ଡନରେ ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ତନୁଷ୍କା ସିଂ।

କିଏ ଏହି ତନୁଷ୍କା ସିଂ?

ଜାଗୁଆର ଫାଇଟର ଜେଟର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତ ହୋଇଥିବା ତନୁଷ୍କା ସିଂ ଲକ୍ଷ୍ନୌର ବାସିନ୍ଦା। ସେ ତାମିଲନାଡ଼ୁର ଡୁଣ୍ଡିଗାଲରେ ଥିବା ବାୟୁସେନା ଏକାଡେମୀରୁ ତାଲିମ ନେଇଛନ୍ତି। ଏହା ସହ ହକ୍ ଏମକେ-୧୩୨ ବିମାନର ପାଇଲଟ୍ ଭାବେ ବର୍ଷେ ସ୍ୱତନ୍ତ୍ର ତାଲିମ ନେଇଛନ୍ତି। ବର୍ତ୍ତମାନ ସେ ଅମ୍ବାଲା ଏୟାରବେସ୍ କ୍ୟାମ୍ପରେ ନିଯୁକ୍ତ ଥିବାବେଳେ ଖୁବ ଶୀଘ୍ର ଜାଗୁଆର ସ୍କ୍ୱାର୍ଡନରେ ସକ୍ରିୟ ଡ୍ୟୁଟି ପାଇଁ ରିପୋର୍ଟ କରିବେ।

ତନୁଷ୍କାଙ୍କ ଜେଜେବାପା ଦେବେନ୍ଦ୍ର ବାହାଦୁର ସିଂ ଜଣେ ଅବସରପ୍ରାପ୍ତ ସେନା କ୍ୟାପ୍ଟେନ ଏବଂ ବାପା ଅଜୟ ପ୍ରତାପ ସିଂ ଜଣେ ଅବସରପ୍ରାପ୍ତ ସେନା ଲେଫ୍ଟନାଣ୍ଟ କର୍ଣ୍ଣେଲ।

କିପରି ଥିଲା ତନୁଷ୍କାଙ୍କ ଯାତ୍ରା?

ତନୁଷ୍କା ପିଲାଟି ଦିନରୁ ଆକାଶରେ ବିମାନ ଉଡ଼ାଇବାର ସ୍ୱପ୍ନ ଦେଖିଥିଲେ। ତାଙ୍କର ଏହି ସ୍ଵପ୍ନକୁ ସାକାର କରିବାରେ ସହଯୋଗ କରିଥିଲେ ପରିବାର ଲୋକ।

କିନ୍ତୁ, ଭାରତୀୟ ବାୟୁସେନାରେ ମହିଳାମାନଙ୍କ ଅଂଶଗ୍ରହଣ ସର୍ବଦା ସୀମିତ ରହିଆସିଛି। କିଛି ଦଶନ୍ଧି ପୂର୍ବରୁ, ମହିଳାମାନଙ୍କୁ କେବଳ ଚିକିତ୍ସା କିମ୍ବା ପ୍ରଶାସନିକ ଭୂମିକାରେ ଦେଖାଯାଉଥିଲା। ୨୦୧୫  ମସିହାରେ ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ ମହିଳା ପାଇଲଟଙ୍କୁ ଯୁଦ୍ଧ ବିମାନ ଉଡ଼ାଇବାକୁ ଅନୁମତି ଦେଲେ।

ଯୁଦ୍ଧ ବିମାନ ଉଡ଼ାଇବା କେବଳ ଏକ କ୍ୟାରିୟର ନୁହେଁ ବରଂ ଏକ ଚ୍ୟାଲେଞ୍ଜିଂ ଯାତ୍ରା। ଏଥିପାଇଁ ଶାରୀରିକ ଏବଂ ମାନସିକ ଶକ୍ତି, ଶୃଙ୍ଖଳା, ଧୈର୍ଯ୍ୟ ଏବଂ ଶୀଘ୍ର ନିଷ୍ପତ୍ତି ନେବାର କ୍ଷମତା ଆବଶ୍ୟକ। ଭାରତୀୟ ବାୟୁସେନାରେ ଜଣେ ଯୁଦ୍ଧ ପାଇଲଟ ହେବା ପାଇଁ, ଜଣଙ୍କୁ କଠୋର ତାଲିମ ନେବାକୁ ପଡ଼ିଥାଏ।

ତନୁଷ୍କା ସିଂ ହେଲେ ପ୍ରଥମ ମହିଳା, ଯିଏ ଏସବୁରେ ସଫଳତା ହାସଲ କରି ଇତିହାସ ରଚିଛନ୍ତି। ଯଦିଓ, ତାଲିମ ସମୟରେ କିଛି ମହିଳା ପାଇଲଟ ଜାଗୁଆର ଲଢ଼ୁଆ ବିମାନ ଉଡ଼ାଇଛନ୍ତି, କିନ୍ତୁ ଫ୍ଲାଇଂ ଅଫିସର ତନୁଷ୍କା ହେଉଛନ୍ତି ପ୍ରଥମ ମହିଳା ଯିଏକି ଏହି ସ୍କ୍ଵାର୍ଡନରେ ସ୍ଥାୟୀ ଭାବରେ ନିଯୁକ୍ତ ହୋଇଛନ୍ତି।

ଜାଗୁଆର ଯୁଦ୍ଧ ବିମାନ ଏକ ବୈଷୟିକ ଷ୍ଟ୍ରାଇକ୍ ବିମାନ, ଯାହା ବଡ଼ ବଡ଼ ମିଶନ ପାଇଁ ବେଶ ଜଣାଶୁଣା। ଏହି ବିମାନ ଶତ୍ରୁ ପକ୍ଷର ଲକ୍ଷ୍ୟସ୍ଥଳ ଉପରେ ଗୁପ୍ତ ଆକ୍ରମଣ କରିଥାଏ। ଏହା ଭାରତୀୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଲଢ଼ୁଆ ବିମାନ ମଧ୍ୟରୁ ଅନ୍ୟତମ।

Tags: #TanushkaSingh #JaguarFighterPilot #WomanPilot #IndianAirForce #FighterJets #LucknowGirl

LEAVE A REPLY

Please enter your comment!
Please enter your name here