ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ମେଗା ଫାଇନାଲ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ତୃତୀୟଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତି କୋଟି କୋଟି କ୍ରିକେଟପ୍ରେମୀଙ୍କ ସ୍ଵପ୍ନକୁ ପୂରଣ କରିବାର ଭାରତୀୟ ଦଳ ପାଇଁ ଏହା ଆଉ ଏକ ସୁଯୋଗ। ସାରା ଦେଶ ଆଜି ଏହି ମ୍ୟାଚକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି।
ଚଳିତ ଚାମ୍ପିୟନ୍ସ ଟ୍ରଫିରେ ଦ୍ୱିତୀୟଥର ପାଇଁ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି ଭାରତ। ଗତ ରବିବାର ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିଲା ଭାରତ। ତେବେ ଚାମ୍ପିୟନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ଯେଉଁ ଅପରାଜୟ ରହିବାର ଧାରା ବନେଇଛି ତାହାକୁ ପୁଣି ଦୋହରାଇବାକୁ ଲକ୍ଷ୍ୟ ରଖିଛି।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଖେଳାଳି ବିରାଟ କୋହଲୀ, ରବୀନ୍ଦ୍ର ଜାଡେଜା, ଶୁଭମନ ଗିଲ୍, ହାର୍ଦିକ ପାଣ୍ଡ୍ୟା, କେ ଏଲ୍ ରାହୁଲ ଓ ମହମ୍ମଦ ଶାମିଙ୍କ ପାକିସ୍ତାନ ପ୍ରଦର୍ଶନ ଉପରେ ସମସ୍ତ ନଜର ରହିବ।
ଅନ୍ୟପଟେ କେନ ୱିଲିୟମସନ, ଡେଭନ କନୱେ, ଟମ ଲେଥମ ଓ ରଚିନ ରବୀନ୍ଦ୍ରଙ୍କ ବ୍ୟାଟିଂ ଉପରେ ନ୍ୟୁଜିଲାଣ୍ଡ ଟିମ ନିର୍ଭର କରିବ। ସେହିପରି ମିଚଲ୍ ସେଣ୍ଟନର, ମାଇକେଲ ବ୍ରେସୱେଲ୍, ଗ୍ଲେନ ଫିଲିପ୍ସଙ୍କ ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ କିଛି ମାତ୍ରାରେ ଦ୍ଵନ୍ଦ୍ଵରେ ପକାଇପାରେ।
ତେବେ ନ୍ୟୁଜିଲାଣ୍ଡର ବୋଲିଂ ଅଟାକକୁ ସାମ୍ନା କରିବା ପାଇଁ ଭାରତୀୟ ଦଳ କେଉଁ ରଣନୀତି ଆପଣାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଭାରତ ନିଜର ଓପନିଂକୁ ସୁଦୃଢ଼ କରିବା ପାଇଁ ସବୁ ପ୍ରୟାସ କରିବ।
ଆଇସିସି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ୨୫ ବର୍ଷ ପୂର୍ବେ ମଧ୍ୟ ଏହି ଦୁଇ ଦଳ ଫାଇନାଲରେ ଟକ୍କର ଦେଇଥିଲେ।
୨୦୦୦ରେ କେନିୟାରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫି ଦ୍ବିତୀୟ ସଂସ୍କରଣ ଫାଇନାଲରେ ଏହି ଦୁଇ ଦଳ ପହଞ୍ଚିଥିଲେ। ଫାଇନାଲରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ଭାରତକୁ ପରାସ୍ତକରି ପ୍ରଥମଥର ଚାମ୍ପିୟନ ହୋଇଥିଲା। ଭାରତ ଏବେ ସେହି ୨୫ ବର୍ଷର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।
ତେବେ ଭାରତ ୪ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଖେଳି ଦୁଇଥର ଚାମ୍ପିୟନ ଓ ଦୁଇଥର ରନର୍ସଅପ ହୋଇସାରିଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ଦୁଇ ଥର ଫାଇନାଲ ଖେଳି ଥରେ ଚାମ୍ପିୟନ ଓ ଥରେ ରନର୍ସଅପ ହୋଇଛି।
Tags: #ICCChampionsTrophy #INDvsNZ #Final #Dubai #ICC #Sports