ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ମ୍ୟାଚକୁ ନେଇ ଉଭୟ ଦଳର ଖେଳାଳି ପ୍ରସ୍ତୁତ ଜାରି ରଖିଛନ୍ତି। ଏହି ହାଇ ଭୋଲଟେଜ ମ୍ୟାଚକୁ ଉପଭୋଗ କରିବା ପାଇଁ କ୍ରିକେଟ ପ୍ରେମୀମାନେ ଅନାଇ ବସିଛନ୍ତି।

ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ନିଜର ତିନୋଟି ଲିଗ୍ ମ୍ୟାଚ୍ ଜିତିଥିବାବେଳେ, ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ୍ ସମ୍ପୂର୍ଣ୍ଣ ଖେଳିପାରିଛି। କଙ୍ଗାରୁ ଦଳର ୨ଟି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହା ପରେ, ପରବର୍ତ୍ତୀ ଦୁଇଟି ମ୍ୟାଚ୍ ବାତିଲ ହେବା ଯୋଗୁଁ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲା। ଏହାଫଳରେ ଦଳ ମୋଟ ୪ ପଏଣ୍ଟ ପାଇ ଗ୍ରୁପ ‘ବି’ରେ ଦ୍ଵିତୀୟ ସ୍ଥାନରେ ରହିଥିଲା।  

ତେବେ ୨୦୨୩ ମସିହାରେ ଭାରତରେ ଏକଦିବସୀୟ ବିଶ୍ୱକପ୍ ଖେଳାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ହାତରୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ଏବେ ଉଭୟ ଦଳ ପୁଣିଥରେ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ୍ ମ୍ୟାଚ୍‌ରେ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏଥର ରୋହିତ ବାହିନୀ ଅଷ୍ଟ୍ରେଲିଆ ସହିତ ପୁରୁଣା ହିସାବ ବରାବର କରିବାକୁ ଲକ୍ଷ୍ୟ ରଖିଛି।

ରବିବାର ଚାମ୍ପିୟନ୍ସ ଟ୍ରଫିର ଶେଷ ଲିଗ୍ ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ହୋଇଥିଲା। ଏଥିରେ ପ୍ରଥମ ବ୍ୟାଟିଂ କରି ୨୫୦ ରନ୍‌ର ଟାର୍ଗେଟ୍ ଦେଇଥିଲା ଭାରତୀୟ ଦଳ। ୨୦୫ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍ ହେବାରୁ ଭାରତ ୪୪ ରନରେ ଏହି ମ୍ୟାଚ ଜିତି ନେଇଥିଲା। ଏହି ବିଜୟ ସହିତ ସେମି ଫାଇନାଲ୍ ଲାଇନ୍ ଚୂଡ଼ାନ୍ତ ହୋଇଛି।

ମଙ୍ଗଳବାର ଦୁବାଇରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ଭାରତୀୟ ଦଳ। ସେହିପରି ବୁଧବାର ଦ୍ୱିତୀୟ ସେମି ଫାଇନାଲ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲାହୋରରେ ଖେଳାଯିବ।

ଭାରତ ଫାଇନାଲକୁ ଗଲେ ଏହି ମ୍ୟାଚ୍‌ ମାର୍ଚ୍ଚ ୯ ତାରିଖ ଦୁବାଇରେ ଖେଳାଯିବ। ତେବେ ଭାରତ ଏଥିରୁ ବାଦ ପଡ଼ିଲେ ଲାହୋରରେ ଏହି ଫାଇନାଲ ମୁକାବିଲା ଖେଳାଯିବ।

Tags: #ICCChampionsTrophy2025 #Semifinal #IndiavsAustralia #Cricket #Dubai #Sports

Comment