ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ (ଏଆଇସି-ଏନଆଇଟିଏଫ୍) ପକ୍ଷରୁ ‘ସି କନଫ୍ଲୁଏନ୍ସ ସିଜନ୍ ୨’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭୁବନେଶ୍ୱର ପୋଖରିପୁଟସ୍ଥିତ ବିବେକାନନ୍ଦ କେନ୍ଦ୍ର-ଏଆଇସିୱାଇଏଏମରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଉଦ୍ୟୋଗୀ ତଥା ଶିଳ୍ପ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ। ସେମାନେ ନିଜର ଅଭିଜ୍ଞତା ବାଣ୍ଟିବା ସହ ନୂତନ ପିଢ଼ିର ମହିଳାମାନେ କିପରି ଆଗକୁ ବଢ଼ିପାରିବେ ସେନେଇ ପ୍ରେରଣା ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଏଆଇସି-ଏନଆଇଟିଏଫର ସିଇଓ ଦୁର୍ଗା ପ୍ରସାଦ ଗୌଡ଼ ଉଦଘାଟନ କରିଥିଲେ। ମହିଳାମାନଙ୍କ ନେତୃତ୍ୱରେ ଗଠିତ ଷ୍ଟାର୍ଟଅପ୍ କିପରି ଭାରତୀୟ ଅର୍ଥନୀତି ଏବଂ ନବସୃଜନକୁ ନୂଆ ଦିଗ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ବିଷୟରେ ଦୁର୍ଗା ପ୍ରସାଦ ଗୌଡ଼ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ, ‘ରେଟ୍ରୋଡ’ର ସହ-ପ୍ରତିଷ୍ଠାତା ତଥା ସିଇଓ ସନ୍ଧ୍ୟା ପଣ୍ଡା ଏବଂ ସାମାଜିକ କର୍ମୀ ମୀମାଂସା ମିଶ୍ର ମଧ୍ୟ ସେମାନଙ୍କର ପ୍ରେରଣାଦାୟକ ଯାତ୍ରା ବିଷୟରେ କହିଥିଲେ। ଜଣେ ସଫଳ ଉଦ୍ୟୋଗୀ ହେବା ପାଇଁ କିପରି ଦୃଢ଼ ନିଷ୍ପତ୍ତି, ନେତୃତ୍ୱ ଏବଂ ପ୍ରଭାବ-କେନ୍ଦ୍ରିକ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ବର୍ଣ୍ଣନା କରିଥିଲେ।

ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ପ୍ରଥମ ଅଲୋଚନା ଚକ୍ରରେ ସଫଳ ମହିଳା ଉଦ୍ୟୋଗୀ ଜୁବିନ୍ ଅଲ୍ଲି, ରୋମି ଦାସ, ସୁଶ୍ରୀ ମିଶ୍ର ଏବଂ ଶର୍ମିଷ୍ଠା ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ସେମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ଏହି ଆଲୋଚନାକୁ ଏଆଇସି-ଏନଆଇଟିଏଫର ଇନକ୍ୟୁବେସନ୍ ମ୍ୟନେଜର ଦୀପଶିଖା ସରକାର ପରିଚାଳନା କରିଥିଲେ। 

ଯୁବ ମହିଳା ନେତୃତ୍ୱକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ଅନ୍ୟ ଏକ ଅଧିବେଶନରେ ଆଦିଶ୍ରୀ, ଅସ୍ମିତା ଭଟ୍ଟାଚାର୍ଯ୍ୟ ଏବଂ ମଞ୍ଜରୀ ଗଙ୍ଗୱାର-ଵାର୍ଟି ଯୋଗ ଦେଇଥିଲେ। ମହିଳାମାନେ ନବସୃଜନ ଏବଂ ନେତୃତ୍ୱକୁ ପୁନଃପରିଭାଷିତ କରୁଥିବା ସେମାନେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ଶିକ୍ଷା ଏବଂ ଉଦ୍ୟୋଗୀତା ସମ୍ପର୍କ ଉପରେ ଆୟୋଜିତ ଦ୍ୱିତୀୟ ପ୍ୟାନେଲରେ ‘ଓଡ଼ିଶାଲାଇଭ୍’ର ନିର୍ଦ୍ଦେଶିକା ତଥା ‘ସ୍ୱାସ୍ଥ୍ୟ ପ୍ଲସ୍’ର ସହ-ପ୍ରତିଷ୍ଠାତା ପ୍ରଣତି ପରିଡ଼ା, ପ୍ରଫେସର ପୁନମ କୁମାର, ପ୍ରଫେସର ଅରୁନ୍ଦିତା ପାଢ଼ୀ ଏବଂ ସିଏସ୍ ମଧୁଛନ୍ଦା ପ୍ରଧାନ ସେମାନଙ୍କର ମତାମତ ରଖିଥିଲେ।

ଏହି ଆଲୋଚନାରେ ପ୍ରଣତି ପରିଡ଼ା ଜଣେ ଘରେ ବସି କିପରି ନିଜ ମାତୃଭାଷାକୁ ପ୍ରୟୋଗ କରି କଣ୍ଟେଣ୍ଟ ରାଇଟ କ୍ଷେତ୍ରରେ ସଫଳତା ହାସଲ କରିପାରିବେ ସେ ବିଷୟରେ ବ୍ୟାଖ୍ୟା କରିଥିଲେ। ଉଚ୍ଚଶିକ୍ଷାରେ ମହିଳାମାନଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣ ଉପରେ ସେ ନିଜ ମତବ୍ୟକ୍ତ କରିଥିଲେ।

ଷ୍ଟାର୍ଟଅପ୍ ଜଗତରେ ମହିଳାମାନଙ୍କ ଭୂମିକାକୁ ଆହୁରି ସଶକ୍ତ କରିବା ପାଇଁ ଆୟୋଜିତ ‘ଷ୍ଟାର୍ଟଅପ୍ ପାର୍ଟନର ଇନସାଇଟ୍ସ’ ଅଧିବେଶନରେ ଏସ୍. ସ୍ନେହା ଜୟସ୍ଵାଲ, ପରୀକ୍ଷିତ ମିମାନି ଏବଂ ଅଜିତ ପଲାଇ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। ବ୍ୟବସାୟକୁ କିପରି ବୃଦ୍ଧି କରିବେ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସଠିକ୍ ଅଂଶୀଦାରମାନଙ୍କ ସହିତ କିପରି କାମ କରିବେ ତାହା ବିଷୟରେ କହିଥିଲେ।

ଏହି କାର୍ଯ୍ୟକ୍ରମ ମଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଆଇସି-ଏନଆଇଟିଏଫର ଲକ୍ଷ୍ୟ ରହିଥିଲା। ଅନୁଷ୍ଠାନର ଆସିଷ୍ଟାଣ୍ଟ ମ୍ୟାନେଜର (ଇନୋଭେସନ) ନିଗମ ଜ୍ୟୋତି ସାହୁ ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ ଏବଂ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Tags: #SheConfluenceSeason2 #AICNalanda #WomenEntrepreneurship #Bhubaneswar #Odisha

Comment