ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକ ଭୁବନେଶ୍ଵର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ବସିଥିବା କମିଟିର ୧୩୫ତମ ବୈଠକରେ ଓଡ଼ିଶାରେ ୬ ହଜାର ୧୧୭ କୋଟି ଟଙ୍କାର ୧୯ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ଏହି ବୈଠକରେ ମଞ୍ଜୁର ହୋଇଥିବା ଶିଳ୍ପ ପ୍ରକଳ୍ପରୁ ୧୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଖୋର୍ଦ୍ଧା, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ଯାଜପୁର, କଟକ, ଜଗତସିଂହପୁର, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ କନ୍ଧମାଳ ଭଳି ୧୧ଟି ଜିଲ୍ଲାରେ ଏସବୁ ପ୍ରକଳ୍ପ ସ୍ଥାପନ କରାଯିବ।

ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ସମ୍ବଲପୁରରେ ଟ୍ରାନ୍ସ ପାସିଫିକ ଇଂଜିନୟରିଂ ପ୍ରାଇଭେଟ ଲିମିଟେଡର ୯୦୦ କୋଟି ଟଙ୍କା ନିବେଶରେ ବାୟୋକୋଲ ପ୍ଳାଣ୍ଟ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏଥିରୁ ୬୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନର ରାୟଗଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ପେଟ୍ରୋଲ, ଡିଜେଲ ପାଇପଲାଇନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ୮୬୮ କୋଟି ଟଙ୍କା ନିବେଶ ହେବ।

ଖୋର୍ଦ୍ଧା ସ୍ଥିତ ଓଡ଼ିଶା ବାୟୋଟେକ ପାର୍କରେ ସାପିଜେନ ବାୟୋଲୋଜିକ୍ସର ୮୫୪ କୋଟି ଟଙ୍କା ନିବେଶରେ ଏକ ଭ୍ୟାକ୍ସିନ ପ୍ଳାଣ୍ଟ ନିର୍ମାଣକୁ ମଞ୍ଜୁରୀ ମିଳିଛି। ଏଠାରେ ଆରସିସି ଲବୋରେଟୋରି ପକ୍ଷରୁ ୫୫ କୋଟି ଟଙ୍କା ନିବେଶରେ ଏକ ଭ୍ୟାକ୍ସିନ ଟେଷ୍ଟିଂ ୟୁନିଟ୍ ନିର୍ମାଣ ପାଇଁ ମଧ୍ୟ ଅନୁମୋଦନ କରାଯାଇଛି।     

ଜଗତସିଂହପୁରରେ ଚୌଗୁଲେ ଲାଭଗାନ କମ୍ପାନିର ୫୫୦ କୋଟି ଟଙ୍କା ନିବେଶରେ ଏକ ଜାହାଜ ତିଆରି ୟାର୍ଡ ନିର୍ମାଣ ପ୍ରକଳ୍ପକୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ କରାଯାଇଛି। ଏହାସହ ଖୋର୍ଦ୍ଧା ସ୍ଥିତ ହିନ୍ଦୁସ୍ତାନ କୋକାକୋଲା କମ୍ପାନିର ସମ୍ପ୍ରସାରଣକୁ ମଞ୍ଜୁର କରାଯାଇଛି। ଏଥିରେ ୫୧୫ କୋଟି ଟଙ୍କା ନିବେଶ ହେବ।

ଅନ୍ୟପଟେ ଜଗତସିଂହପୁରରେ ୫୦୦ କୋଟି ଟଙ୍କା ନିବେଶରେ ଏଆରସିଏଲ୍ ଅରଗାନିକ୍ସର ଏକ କେମିକାଲ କମ୍ପାନି ଏବଂ ଯାଜପୁରରେ ୪୭୦ କୋଟି ଟଙ୍କା ନିବେଶରେ ନିଜୋନ ଷ୍ଟିଲ୍ସର ଏକ କାରଖାନା ନିର୍ମାଣ ପାଇଁ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ ମିଳିଛି।

ଖୋର୍ଦ୍ଧାରେ ଜୋହୋ କର୍ପୋରେସନର ୩୦୬ କୋଟି ଟଙ୍କାରେ ନିବେଶରେ ଏକ ଡାଟା ସେଣ୍ଟର ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହାସହ ସମ୍ବଲପୁରରେ ସିଏମଆର୍ ଆଲୁମିନିୟମର ୨୩୪ କୋଟି ଟଙ୍କା ନିବେଶରେ ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି।

ସେହିପରି କଟକରେ ଶ୍ରୀ ମହାବୀର ଫେରୋ ଆଲୟଏସ୍ ଲିମିଟେଡ ଓ ବଲାଙ୍ଗିରରେ ଆଇରନ ଟ୍ରାଏଙ୍ଗେଲ୍ ଲିମିଟେଡର ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି। ଏହାସହ ଖୋର୍ଦ୍ଧା, ଗଞ୍ଜାମ ଓ କନ୍ଧମାଳରେ ଏକ ୫ ତାରକା ହୋଟେଲ ଏବଂ ଇକୋ ରିସୋର୍ଟ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି।

ଅନ୍ୟପଟେ ଜିଓ ଫାଷ୍ଟ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୧୦୮ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏକ କୋଲ୍ଡ ଡ୍ରିଙ୍କ କାରଖାନା ପାଇଁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମତି ମିଳିଛି। ଏହାସହ ଝାରସୁଗୁଡ଼ାରେ ସନ୍ୟାମ ଟାଇ ଅପ୍ ପ୍ରାଇଭେଟ ଲିମିଟେଡର ୧୦୮ କୋଟି ଟଙ୍କା ନିବେଶରେ ଏକ ପ୍ୟାକେଜିଂ ମ୍ୟାଟେରିୟାଲ୍ ୟୁନିଟ ପାଇଁ ଅନୁମୋଦନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ସାଇ ସୁଧା ମୋଟର୍ସ ପକ୍ଷରୁ ୬୮ କୋଟି ଟଙ୍କା ନିବେଶରେ ଏକ ସୋଲାର ମଡ୍ୟୁଲ କାରଖାନା ଏବଂ ଯାଜପୁରରେ କୋରୱାୟାର ସରଫେସ ଟେକ୍ନୋଲୋଜିର ୫୦ କୋଟି ଟଙ୍କା ନିବେଶରେ ଏଲ ଷ୍ଟିଲ ରୋଲ ପ୍ଲାଣ୍ଟ ପ୍ରକଳ୍ପକୁ ଅନୁମତି ମିଳିଛି

ଓଡ଼ିଶାରେ ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଆୟୋଜନ କରାଯାଉଛି। ଏଥର ବୈଠକରେ ଇସ୍ପାତ, ରାସାୟନିକ ପଦାର୍ଥ, ବୟନ, ଆଇଟି ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି।  

Tags: #OdishaSingleWindowClearanceAuthority #SLSWCA #IndustrialProjects #Odisha

Comment