ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ବୁଧବାର ଆଗତ ହୋଇଛି ୱାକଫ୍ ସଂଶୋଧନ ବିଧେୟକ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହାକୁ ଉପସ୍ଥାପିତ କରିଛନ୍ତି। ଯୁଗ୍ମ ସଂସଦୀୟ କମିଟି (ଜେପିସି) ୱାକଫ୍ ସଂଶୋଧନ ବିଲ୍ ଉପରେ ରିପୋର୍ଟ ଦେବା ପରେ ଏହାକୁ ପୁଣି ଆଗତ କରାଯାଇଛି।
ୱାକଫ୍ ସଂଶୋଧନ ବିଧେୟକ ଉପରେ ଚର୍ଚ୍ଚା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଏଥିରେ ଶାସକ ଓ ବିରୋଧୀ ଦଳର ସାଂସଦମାନେ ବିଲ୍ ଉପରେ ନିଜର ମତ ରଖିବେ। ଗୁରୁବାର ଏହାକୁ ରାଜ୍ୟସଭାରେ ଆଗତ କରାଯିବ।
ଏହି ୱାକଫ୍ ସଂଶୋଧନ ବିଧେୟକକୁ ବିଜେପି ସମେତ ଏନଡିଏର ଅନ୍ୟ ଦଳମାନେ ସମର୍ଥନ କରୁଥିବାବେଳେ କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ଅନ୍ୟ ଦଳମାନେ ଏହାର ବିରୋଧ କରୁଛନ୍ତି।
ୱାକଫ୍ ଆଇନ କ’ଣ?
ୱାକଫ୍ ଏକ ଇସଲାମିକ ପରମ୍ପରା। ଏଥିରେ ଜଣେ ବ୍ୟକ୍ତି ନିଜ ସମ୍ପତ୍ତିକୁ ଧାର୍ମିକ କିମ୍ବା ସାମାଜିକ କାମ ପାଇଁ ଦାନ କରିଥାଏ। ଏହି ସମ୍ପତ୍ତି ଓ୍ୱାକଫ୍ ବୋର୍ଡ ଅଧୀନରେ ରହିଥାଏ। ଭାରତର ସବୁ ରାଜ୍ୟରେ ଥିବା ଓ୍ୱାକଫ୍ ବୋର୍ଡ ଏହାକୁ ପରିଚାଳନା କରିଥାଏ।
ୱାକଫ୍ ସମ୍ପତ୍ତି ପାଇଁ ଦେଶରେ ଓ୍ୱାକଫ୍ ଆଇନ ୧୯୯୫ ପ୍ରଚଳିତ ରହିଛି। ତେବେ ଏହି ଆଇନକୁ ଅଧିକ ସ୍ୱଚ୍ଛ କରିବାକୁ ପାଇଁ ଏଥିରେ ସଂଶୋଧନ କରାଯାଉଥିବା କେନ୍ଦ୍ର ସରକାର କହିଛନ୍ତି। ସଂଶୋଧିତ ନିୟମ ଅନୁସାରେ ଓ୍ୱାକଫ୍ ସମ୍ପତ୍ତିଗୁଡ଼ିକୁ ଜିଲ୍ଲାପାଳଙ୍କ ପାଖରେ ପଞ୍ଜୀକରଣ କରାଇ ସଠିକ୍ ମୂଲ୍ୟାଙ୍କନ କରାଯିବ।
ଏହାସହ ୱାକଫ୍ ବୋର୍ଡରେ ୨ ଜଣ ଅଣ-ମୁସଲିମ ସଦସ୍ୟ ରହିବା ଜରୁରୀ ହେବ। ମହିଳାଙ୍କୁ ବୋର୍ଡରେ ସ୍ଥାନ ଦେବାକୁ ବ୍ୟବସ୍ଥା ହେବ। ହେଲେ ଏହାକୁ ମୁସଲିମ ପକ୍ଷ ଓ ବିରୋଧୀ ଦଳମାନେ ବିରୋଧ କରୁଛନ୍ତି। ଏହାଦ୍ଵାରା ୱାକଫ୍ ବୋର୍ଡରେ ସରକାରୀ ହସ୍ତକ୍ଷେପ ବଢ଼ିବା ସହ ଏହାର ସ୍ଵତନ୍ତ୍ରତା ନଷ୍ଟ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି।
Tags: #WaqfAmendmentBill #WaqfBoard #Loksabha #India
















