ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ବର୍ଷା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମିଛି ତାପମାତ୍ରା। ତେବେ ଆସନ୍ତା ୨ ଦିନ ପରେ ତାପମାତ୍ରା ପୁଣି ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହାସହ ୩୦ରୁ ୪୦କିମି ବେଗରେ ହେବା ପବନ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଶନିବାର ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେ ସବୁ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ସାମିଲ ରହିଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା। ଆସନ୍ତା ୨ ଦିନ ପାଗରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବାବେଳେ ଏହାପରେ ପୁଣି ତାପମାତ୍ରା ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Tags: #Kalabaisakhi #Thunderstorm #Lightning #Rainfall #WeatherUpdate #MCBBSR #Odisha