ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ମୋଟ ୫୫ଟି ପଡ଼ାଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ପ୍ରଦାନ ଏବଂ ୧୪ଟି ସ୍ଥାନରେ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ବସ୍ତା ବିଧାୟିକା ସୁବାସିନୀ ଜେନା ଦାବି କରିଛନ୍ତି।
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମୀକ୍ଷା ବୈଠକରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏନେଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ବିଧାୟିକା ସୁବାସିନୀ ଜେନା।
ବିଧାୟିକା କହିଥିଲେ, ରାଜ୍ୟର ବିଭିନ୍ନ ତହସିଲରେ ବର୍ତ୍ତମାନ ସୁଦ୍ଧା ଅନେକ ପଡ଼ାଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ହେଁ ଏପର୍ଯ୍ୟନ୍ତ ଶତପ୍ରତିଶତ ଲକ୍ଷ୍ୟ ହାସଲ ହୋଇପାରି ନାହିଁ। ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜସ୍ଵ ଗ୍ରାମୱାରୀ କ୍ଷୟକ୍ଷତି ଆକଳନ ଓ ରିଲିଫ ଆବଣ୍ଟନ ସମୟରେ ମୁଖ୍ୟ ଗ୍ରାମ ଅଗ୍ରାଧିକାର ପାଉଥିବାବେଳେ ପଡ଼ାଗ୍ରାମ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଆସୁଛି। ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣରୁ ମଧ୍ୟ ପଡ଼ାଗ୍ରାମ ବଞ୍ଚିତ ରହୁଛି। ତେଣୁ ପ୍ରତ୍ୟେକ ପଡ଼ାଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଓ ବସ୍ତା ତହସିଲର ପଡ଼ାଗ୍ରାମଗୁଡ଼ିକୁ ରାଜସ୍ଵ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ଗତ ମାର୍ଚ୍ଚ ୨୭ ତାରିଖରେ ବିଧାନସଭାରେ ଦାବି ଉଠାଇଥିଲେ ବିଧାୟିକା ସୁବାସିନୀ ଜେନା।
ବସ୍ତା ନିର୍ବାଚନ ମଣ୍ଡଳୀର ବାଲିଆପାଳ ତହସିଲ ଅନ୍ତର୍ଗତ ୩୧ଟି ଏବଂ ବସ୍ତା ତହସିଲ ଅନ୍ତର୍ଗତ ୨୪ଟି ପଡ଼ାଗ୍ରାମର ତାଲିକା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କୁ ପ୍ରଦାନ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଧାୟିକା ଅନୁରୋଧ କରିଛନ୍ତି।
ବସ୍ତା ଏବଂ ବାଲିଆପାଳ ଦୁଇଟି ବ୍ଲକକୁ ନେଇ ଗଠିତ ବସ୍ତା ନିର୍ବାଚନମଣ୍ଡଳୀରେ ଅଧିକାଂଶ ସମୟରେ ବାତ୍ୟା ଏବଂ ବନ୍ୟା ପରିସ୍ଥିତି ଉପୁଜିଥାଏ। ବନ୍ୟା ସମୟରେ ବିସ୍ଥାପିତଙ୍କୁ ଥଇଥାନ କରିବା ପାଇଁ ପଞ୍ଚାୟତଗୁଡ଼ିକରେ ସ୍ଥାୟୀ ପକ୍କା ଘର ଏବଂ ବାତ୍ୟା ଆଶ୍ରୟସ୍ଥଳର ଅଭାବ ରହିଛି। ତେଣୁ ଲୋକଙ୍କ ସୁରକ୍ଷା ପାଇଁ ୧୪ଟି ସ୍ଥାନରେ ବହୁତଳ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାର ଆବଶ୍ୟକତା ରହିଛି ବୋଲି ବିଧାୟିକା କହିଥିଲେ।
Tags: #RevenueVillage #MLASubashiniJena #Basta #Balasore #Odisha