ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନଠାରେ ମମତା ମହାପାତ୍ର ଓ ବିଜୟିନୀ ସିଂହଦେଓଙ୍କ ମିଳିତ ସମ୍ପାଦନାରେ ଶାଶୂ-ବୋହୂ ସମ୍ପର୍କକୁ ନେଇ ଲିଖିତ ପୁସ୍ତକ ‘ସୁବର୍ଣ୍ଣ ସେତୁ’ ଉନ୍ମୋଚିତ ହୋଇଯାଇଛି। ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରସ୍ଵତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଡକ୍ଟର ପ୍ରହ୍ଲାଦ ମହାନ୍ତି କହିଛନ୍ତି, ବର୍ତ୍ତମାନ ସମୟରେ ଶାଶୂ-ବୋହୂଙ୍କ ତିକ୍ତ ସମ୍ପର୍କ ଯୋଗୁଁ ଘର ଭାଙ୍ଗି ଯାଉଛି। ପରିବାର ମଧ୍ୟରେ ଏକତା ରହୁନାହିଁ। ବହିଟି ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।
ପୁସ୍ତକ ସମୀକ୍ଷ ବିଶିଷ୍ଟ ଗବେଷକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉତ୍ସବରେ ଯୋଗ ଦେଇ ପୁସ୍ତକରେ ସଂକଳିତ ୫୫ଟି ଆଲେଖ୍ୟ ସମ୍ପର୍କରେ ମତ ରଖିଥିଲେ। ‘ଅକ୍ଷାଂଶ’ର ସମ୍ପାଦକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି, ସଂପ୍ରତି ସମାଜରେ ଯୌଥ ପରିବାରଗୁଡ଼ିକ ଭାଙ୍ଗିଯାଇ ଅଣୁ ପରିବାର ସୃଷ୍ଟି ହେଉଥିବାରୁ ପରିବାର ମଧ୍ୟରେ ସ୍ନେହ ଏବଂ ଏକତା ଆଗଭଳି ଆଉ ଦେଖିବାକୁ ମିଳୁନାହିଁ।
ପ୍ରାରମ୍ଭରେ ଯୁଗ୍ମ ସମ୍ପାଦକ ରାଜେଶ ଗିରି ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ମମତା ମହାପାତ୍ର ପୁସ୍ତକର ପ୍ରକାଶନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିବାବେଳେ ପରିଷଦର ସମ୍ପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅନ୍ୟତମ ଯୁଗ୍ମ ସମ୍ପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #BookRelease #SubarnaSetu #MamataMohapatra #BijayeeniSighDeo #Balasore #Odisha


















