ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା। କଟକର ବାଲିଯାତ୍ରା ପଡ଼ିଆଠାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ଯୋଜନା ଦ୍ଵାରା ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ଦେଶର ବିଭିନ୍ନ ସ୍ଥାନରେ ୨୯ ହଜାର ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଏହି ସ୍ଵାସ୍ଥ୍ୟକାର୍ଡରେ ଚିକିତ୍ସା ସୁବିଧା ମିଳିପାରିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, “ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ। ଗୋଟିଏ ପରିବାରର ଲୋକ ଦେଶର ବିଭିନ୍ନ ସ୍ଥାନରେ ରହିଲେ ମଧ୍ୟ ସମସ୍ତଙ୍କୁ ଏହି ଯୋଜନାରୁ ସୁବିଧା ମିଳିପାରିବ।”

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା, ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ବର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁ ତରାଇ ଏବଂ ସ୍ଥାନୀୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟର ୧୨ଟି ଜିଲ୍ଲାରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ୧୨ଟି ଜିଲ୍ଲାରେ ରାଜ୍ୟର ୧୨ ଜଣ ମନ୍ତ୍ରୀ ଯୋଗଦେଇ ସ୍ଵାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।

Tags: #AyushmanBharatScheme #JPNadda #Health #LaunchingCeremony #Odisha

Comment