ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ପାଗ ପରିବର୍ତ୍ତନ ହୋଇଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ପାଇଁ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବାର ସମ୍ଭାବନା ରହିଛି। ଏହି ସମୟରେ କିଛି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି।
ଶୁକ୍ରବାର ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସାମିଲ ରହିଛି।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ମୁରୁଡ଼ାରେ ସର୍ବାଧିକ ୯୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଜିଲ୍ଲାର ସରସକଣାରେ ୮୦ ମିଲିମିଟର, ବାରିପଦାରେ ୬୮ ମିଲିମିଟର ଓ ରାସଗୋବିନ୍ଦପୁରରେ ୬୨ ମିଲିମିଟର ବର୍ଷା ହୋଇଛି। ସେହିପରି ଶୁକ୍ରବାର ସକାଳେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ହଠାତ ପାଗ ପରିବର୍ତ୍ତନ ହୋଇଛି ପ୍ରବଳ ବର୍ଷା ହୋଇଛି।
ରାଜ୍ୟରେ ଏବେ ବର୍ଷା ପ୍ରଭାବରେ ଉତ୍ତର ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିରୁ ଆଶ୍ଵସ୍ତି ମିଳିଛି। ତେବେ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାତ୍ରାଧିକ ଖରା ହେଉଥିବା ଦେଖିବାକୁ ମିଳିଛି।
Tags: #Kalabaisakhi #Rainfall #Weather #MCBBSR #Odisha