ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଆୟୋଜିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ହେମନ୍ତ କୁମାର ଘଡ଼େଇ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର ଡକ୍ଟର ସୁସ୍ମିତ ପ୍ରସାଦ ପାଣି ଯୋଗ ଦେଇଥିଲେ।

କୁଳପତି ନିଜ ଉଦବୋଧନରେ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନାକ୍ ଓ ଏନଆଇଆରଏଫର ମାନ୍ୟତା ଓ ମୂଲ୍ୟାଙ୍କନ ପ୍ରକ୍ରିୟାରେ ନିଜ ନିଜ ମହାବିଦ୍ୟାଳୟକୁ ସାମିଲ କରିବାକୁ ଅନୁରୋଧ କରିଥିଲେ। ଏଥିସହ ଜାତୀୟ ଶିକ୍ଷାନୀତି-୨୦୨୦କୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରାଯିବାକୁ ନେଇ ଦୃଢ଼ ସମର୍ଥନ କରିଥିଲେ।

ପ୍ରଫେସର ଡକ୍ଟର ସୁସ୍ମିତ ପ୍ରସାଦ ପାଣି ନିଜ ଅଭିଭାଷଣରେ ଜାତୀୟ ଶିକ୍ଷାନୀତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଡକ୍ଟର ହେମନ୍ତ କୁମାର ଘଡ଼େଇ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ମହାବିଦ୍ୟାଳୟ ବିକାଶ ପରିଷଦର ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ଅଗ୍ରୱାଲ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ରଣୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମକୁ ଡକ୍ଟର ରାଜଶ୍ରୀ ଦତ୍ତ ପରିଚାଳନା କରିଥିବା ବେଳେ ପ୍ରଫେସର ପଙ୍କଜ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

 Tags: #PrincipalsConference #CollegeDevelopmentCouncil #FMUniversity #Balasore #Odisha

Comment