ଓଡ଼ିଶାଲାଇଭ୍ ବ୍ୟୁରୋ

ସରଳ ଏବଂ ଆମୋଦଦାୟକ ହେବ ଶୈଶବ ଶିକ୍ଷା। ଖେଳ ଓ ମନୋରଞ୍ଜନ ମାଧ୍ୟମରେ ପାଠ ପଢ଼ିବେ ଛୋଟ ପିଲା। ଶୈଶବ ଶିକ୍ଷାକୁ ଗୁରୁତ୍ଵ ଦେଇ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।
ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡ଼ି’। ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏହି କିଟ୍ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ। ଏଥିପାଇଁ ଖର୍ଚ୍ଚ ହେବ ୯୦ କୋଟି ଟଙ୍କା। ପ୍ରତ୍ୟେକ କିଟ୍ ପାଇଁ ଖର୍ଚ୍ଚ ହେବ ପ୍ରାୟ ୨୦ ହଜାର ଟଙ୍କା।

ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଶିଶୁ ବାଟିକା ପିଲାଙ୍କ ପାଇଁ ଉଦ୍ଦିଷ୍ଟ ‘ଯାଦୁପେଡ଼ି’ ଦେଖିବା ସହ ଏହାର ଉପଯୋଗିତା ବିଷୟରେ ଅବଗତ ହୋଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ‘ଯାଦୁପେଡ଼ି’ ଭିତରେ ଥିବା ବିଭିନ୍ନ ସାମଗ୍ରୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଛୋଟ ଛୋଟ ପିଲା ନିଜ ପାରିପାର୍ଶ୍ଵିକ ଅଞ୍ଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗିତା ବିଷୟରେ ଏହି ‘ଯାଦୁପେଡ଼ି’ରେ ଥିବା ଖେଳନାରୁ ଶିଖି ପାରିବେ। ଏହି ‘ଯାଦୁପେଡ଼ି’ ଛୋଟ ପିଲାଙ୍କ ମନରେ ପାଠ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଛୋଟ ପିଲାମାନଙ୍କ ଶିକ୍ଷାକୁ ଗୁରୁତ୍ଵ ଦେଇ ଏହି ‘ଯାଦୁପେଡ଼ି’ର ପରିକଳ୍ପନା କରାଯାଇଛି।
Tags: #ChildEducation #SchoolEducation #Jadupedi #CMOdisha #MohanCharanMajhi #Odisha


















