ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଔପନ୍ୟାସିକ ସୃଷ୍ଟିଧର ପରିଡ଼ାଙ୍କ ଗଳ୍ପ ସଙ୍କଳନ ‘ମୁଠାଏ ସ୍ଵପ୍ନ’ ଓ ସାହିତ୍ୟର ଭିନ୍ନ ସ୍ଵର ‘ସାଗରିକା’ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।
ବାଲେଶ୍ୱର ଷ୍ଟେସନ କ୍ଲବଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବରିଷ୍ଠ କବି ରତ୍ନାକର ରାଉତ। ମଣିଷ ଦେଖୁଥିବା ସ୍ଵପ୍ନର ପରିଭାଷାକୁ ରୂପ ଦେଉଥିବା କବି ଓ ସାହିତ୍ୟିକଙ୍କ ଲେଖା ସୁନ୍ଦର ସମାଜ ନିର୍ମାଣରେ ସହାୟକ ହୋଇଥାଏ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ।
ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ସାହିତ୍ୟ ଓ ପୁସ୍ତକ ଉଭୟ ସମାଜ ଗଠନ ପାଇଁ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।
ଆଲୋଚକ ଭାବେ ଡକ୍ଟର ଭାଗବତ ବେହେରା ଯୋଗ ଦେଇ ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ ଡକ୍ଟର କାଳୀପଦ ପଣ୍ଡା ନିଜ ବକ୍ତବ୍ୟ ରଖିଥିବା ବେଳେ ଆଇନଜୀବୀ ବେଣୁଧର ରାଉଳ, ଯୋଗଗୁରୁ ସୁଜିତ କୁମାର ଜେନା ଲେଖକଙ୍କ ‘ମୁଠାଏ ସ୍ଵପ୍ନ’ର ଶିକ୍ଷଣୀୟ ବିଷୟବସ୍ତୁ ଓ ବୋଧଗମ୍ୟ ଶବ୍ଦ ସଂଯୋଜନା ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଥିଲେ।
‘ଧ୍ଵନି ପ୍ରତିଧ୍ଵନି’ ଓ ‘ସାଗରିକା’ର ସମ୍ପାଦିକା କବି ସୈରିନ୍ଧ୍ରୀ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ଲେଖକ ସୃଷ୍ଟିଧର ପରିଡ଼ା ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ନିଜର ଲେଖକୀୟ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ କଣ୍ଠଶିଳ୍ପୀ ଶ୍ୱେତାଲିସା ଶୁଭଦର୍ଶିନୀ ଓ ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ ସଙ୍ଗୀତ ଗାନ କରିଥିବା ବେଳେ କବି ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ‘ରଙ୍ଗରାଗ’ର ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି ଓ ଆଇନଜୀବୀ ଯଶୋଦାନନ୍ଦନ ଆଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସହରର ବହୁ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Tags: #BookRelease #MuthayeSwopna #Sagarika #Balasore #Odisha


















