ଓଡ଼ିଶାଲାଇଭ୍ ବ୍ୟୁରୋ

“ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ଚାଷ ଓ ଚାଷୀଙ୍କ ଉନ୍ନତିକୁ ଗୁରୁତ୍ଵ ଦିଆଯାଉଛି,” ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଖୀ ମୁଠି ଅନୁକୂଳ କରିଥିଲେ। ଏହା ପରେ ସିଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଋତୁ ଫସଲ ପାଇଁ ୧,୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ପ୍ରଥମ ଥର ପାଇଁ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଗୁଆ ସହାୟତା ରାଶି ପ୍ରଦାନ କରାଯାଉଥିବାରୁ ଏହା ଚାଷୀ ଭାଇମାନଙ୍କ କୃଷି କାର୍ଯ୍ୟରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଖାଦ୍ୟ ଯୋଗାଇବାରେ ଆମେ ସମର୍ଥ ଥିଲୁ। କିନ୍ତୁ, ଆଜି ଆମ ଦେଶ ଖାଦ୍ୟ ଶସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହ କୃଷିଜାତ ସାମଗ୍ରୀ ରପ୍ତାନୀ କରୁଛି। ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର ପାଲଟିଛି। ୨୦୧୪ ମସିହା ପରଠାରୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦଗ ମିଳିଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନୀଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ କ୍ଷେତ୍ରରେ ଅଗ୍ରଗତି ହୋଇଛି।”

ସେ ଆହୁରି କହିଥିଲେ, ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗୀକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରୁ ଆସିଥାଏ ବୋଲି ସେ କହିଥିଲେ।
ଚାଷ ସହିତ ନିଜର ଅନୁଭୂତି ବଖାଣି ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷ କାର୍ଯ୍ୟ କରିବା କଠିନ କାମ। ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଆଜି ଓଡ଼ିଶା ଶସ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି। ଏହା ରାଜ୍ୟର ଚାଷୀ ଭାଇ ଭଉଣୀମାନଙ୍କ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, “ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ୩,୧୦୦ ଟଙ୍କା ଏମଏସ୍ପି ଦିଆଗଲା। ଆଗାମୀ ପାଞ୍ଚ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି। ପ୍ରତି ସବ୍ଡିଭିଜନ୍ରେ ଶୀତଳଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ କୃଷି କାର୍ଯ୍ୟ ସହ ମାଛ ଚାଷ, ପ୍ରାଣୀ ପାଳନ, କୁକୁଡ଼ା ଓ ବତକ ଚାଷ ପାଇଁ ରିହାତି ସହିତ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଚାଷ କାର୍ଯ୍ୟ ଆରମ୍ଭଠାରୁ ଫସଲ ବିକ୍ରି ପର୍ଯ୍ୟନ୍ତ ସବୁ ସମୟରେ ଆମେ ଚାଷୀଙ୍କ ସହିତ ଅଛୁ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ‘କୃଷକ ସଂଗୀତ’ ପୁସ୍ତକର ଲୋକାର୍ପଣ କରିଥିଲେ। ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଅବସରରେ କହିଥିଲେ, “ପବିତ୍ର ଅକ୍ଷୟ ତୃତୀୟରେ ଚାଷୀ ନିଜ ଚାଷ କାର୍ଯ୍ୟ ଆଗକୁ ନେଇଥାଏ। ଆମେ ଯାହା ଖାଉଛେ ତାକୁ ଜଣେ ଚାଷୀ ଉତ୍ପାଦନ କରିଥାଏ, ଚାଷୀମାନଙ୍କ ସହିତ ସରକାର ସବୁବେଳେ ଅଛନ୍ତି। କୃଷି ଓ କୃଷକଙ୍କୁ ବଜାର ଯୋଗାଇ ଦେବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ଦେବା ପାଇଁ ସରକାର ସର୍ବଦା ଗୁରୁତ୍ଵ ଦେଇଆସୁଛନ୍ତି। ଚାଷୀର ଉନ୍ନତି ହେଲେ ରାଜ୍ୟର ଉନ୍ନତି ହେବ ଏବଂ ରାଜ୍ୟର ଉନ୍ନତି ହେଲେ ଦେଶର ଉନ୍ନତି ହେବ।”
କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂହ, ଓୟୁଏଟିର କୂଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେ କହିଥିଲେ, “ଆଜିର ଦିନ ଆମ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। କାରଣ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ଏବଂ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ବର୍ଷର ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ ହୁଏ। ଚାଷୀ ଭଲ ଅମଳ କାମନା କରି ମା’ ମହାଲକ୍ଷ୍ମୀଙ୍କୁ ପ୍ରାର୍ଥନା କରି କହିଥାଏ ‘ମୋର ଶସ୍ୟ ଅକ୍ଷୟ ହେଉ’।”
ଡକ୍ଟର ଅରବିନ୍ଦ ପାଢ଼ୀ ରାଜ୍ୟରେ ଗତ ବର୍ଷ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟର ଉତ୍ପାଦନ ହୋଇଥିବା ସୂଚନା ଦେଇଥିଲେ। ସେ କହିଥିଲେ, ଗତ ବର୍ଷ ୧୪.୩ ମିଲିୟନ ଟନର ଖାଦ୍ୟ ଶସ୍ୟ ଏବଂ ୧୪.୪୮ ଟନର ପନିପରିବା ଓ ଫଳ ଉତ୍ପାଦନ ରେକର୍ଡ ପରିମାଣର ହୋଇଛି। ଏଥିପାଇଁ ସେ ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ସେ ଆହୁରି କହିଥିଲେ, କୃଷି ବିଭାଗ ପକ୍ଷରୁ ରାଜ୍ୟରେ ଅନେକ ଫସଲଭିତ୍ତିକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ଵାରା ଚାଷୀ ଭାଇଭଉଣୀମାନେ ଲାଭବାନ ହୋଇପାରୁଛନ୍ତି।
ସେ ଆଉ ଏକ ସୂଚନା ଦେଇ କହିଥିଲେ, ସିଏମ କିଷାସ ହିତାଧିକାରୀଙ୍କ ସନ୍ତାନମାନଙ୍କ ବୃତ୍ତିଗତ ଏବଂ ବୈଷୟିକ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ୧୩,୯୨୩ ଜଣ ଛାତ୍ରଛାତ୍ରୀଙ୍କୁ ୫୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହା ଦ୍ଵାରା ସମ୍ପୃକ୍ତ ପରିବାରର ଆର୍ଥିକ ଏବଂ ସାମାଜିକ ଅବସ୍ଥାରେ ବ୍ୟାପକ ସୁଧାର ଆସିପାରିବ ବୋଲି ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶୁଭମ ସକ୍ସେନା, ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ, ଗଙ୍ଗାଧର ମେହେର ପ୍ରତିଷ୍ଠାନର ସଭାପତି ମିହିର କୁମାର ମେହେର ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖି କୃଷି ଯୋଜନାରେ ସାମିଲ ହେବାକୁ କୃଷକମାନଙ୍କୁ ପରାମର୍ଶ ଦେଇଥିଲେ।
Tags: #StateLevelKrushakDivas #AkshayTritiya #CMOdisha #MohanCharanMajhi #Odisha


















