ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀ ‘ପଥରରୁ କାହାଣୀ ପର୍ଯ୍ୟନ୍ତ: ପ୍ରାଚୀନ, ମଧ୍ୟଯୁଗୀନ ଓ ଆଧୁନିକ ଐତିହ୍ୟର ଦୃଷ୍ଟିକୋଣ’ ଉଦଘାଟିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀକୁ ଅମରକଣ୍ଟକର ଆଇଜିଏନଟିୟୁର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।

ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରତ୍ନତତ୍ତ୍ଵବିତ୍ ଡକ୍ଟର ଜୀବନ କୁମାର ପଟ୍ଟନାୟକ ଯୋଗଦେଇ ଭାରତର ପୁରାତନ ତଥ୍ୟ, ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ, ଆଇନ ଅଧିନିୟମ ଆଦି ବିଷୟରେ ବିଶ୍ଳେଷଣ କରିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଯୋଗଦେଇ ସଂସ୍କୃତି ରକ୍ଷାରେ ବିଶ୍ୱବିଦ୍ୟାଳୟର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।

ସମ୍ମିଳନୀର ସଂଯୋଜକ ଡକ୍ଟର ପବିତ୍ରମୋହନ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ସମ୍ବୋଧନ ପ୍ରଦାନ କରିଥିଲେ। ସମ୍ମିଳନୀ ସମ୍ପର୍କରେ ଅଭିଭାଷଣ ରଖି ସଂଯୋଜକା ଡକ୍ଟର ଶିଖାଶ୍ରୀ ରାୟ ସମ୍ମିଳନୀର ଉଦ୍ଦେଶ୍ୟ, ବୈଜ୍ଞାନିକ ପ୍ରସଙ୍ଗ ଓ ମୁଖ୍ୟ ପ୍ରସଙ୍ଗ ବିଷୟରେ ଉପସ୍ଥାପନା କରିଥିଲେ।

ଆୟୋଜିତ ହେବାକୁ ଥିବା ବୈଷୟିକ ଅଧିବେଶନଗୁଡ଼ିକରେ ପୁରାତନ ଐତିହ୍ୟ, ପ୍ରତ୍ନତତ୍ତ୍ଵ, ଆଇକନୋଗ୍ରାଫି, ସ୍ଥାପତ୍ୟ, ଶିଳ୍ପ, ଭାଷା, ମଧ୍ୟଯୁଗୀନ ଐତିହ୍ୟର ସାମାଜିକ ପରମ୍ପରା, ଧର୍ମ ଓ କାହାଣୀ, ସାମନ୍ତ ଗଠନ, ସ୍ଥାପତ୍ୟ ତଥା ଆଧୁନିକ ଐତିହ୍ୟର ଉପନିବେଶିକ ଧାରା, ସ୍ୱାଧୀନତା ପରବର୍ତ୍ତୀ କାହାଣୀ, ଶିଳ୍ପ ଐତିହ୍ୟ, ପ୍ରବାସୀ ଓ ଜାତୀୟତାବାଦ ସହ ସାଂସ୍କୃତିକ ଐତିହ୍ୟର ମୌଖିକ ପରମ୍ପରା, ଗ୍ଲୋବାଲାଇଜେସନର ପ୍ରଭାବ ଏବଂ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ଆଦି ସମ୍ପର୍କରେ ବିଷଦ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମକୁ ଡକ୍ଟର ରାଜଶ୍ରୀ ଦତ୍ତ ସଞ୍ଚାଳନ କରିଥିବା ବେଳେ ଡକ୍ଟର ଆକାଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #NationalSeminar #FromStonestoStories #FMUniversity #Balasore #Odisha

Comment