ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଘୋଷଣା ହୋଇଛି ‘ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର ୨୦୨୫’। ଚଳିତ ବର୍ଷ କବି ଶୁଭଶ୍ରୀ ଶୁଭଶ୍ମିତା ମିଶ୍ର ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ବାଲେଶ୍ୱରର ବିଶିଷ୍ଟ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ସ୍ମୃତିରକ୍ଷା ନିମନ୍ତେ ଗଠିତ ‘ଚନ୍ଦ୍ର କୁମାର ମହାନ୍ତି ସ୍ମୃତି କମିଟି’ ପକ୍ଷରୁ ୨୦୧୭ରୁ ଆରମ୍ଭ ହୋଇଥିଲା ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ। ପ୍ରତିବର୍ଷ ୪୫ରୁ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଓଡ଼ିଆ କବିଙ୍କୁ ଚୟନ କରାଯାଇ ଚନ୍ଦ୍ର କୁମାର ମହାନ୍ତି କବିତା ପୁରସ୍କାର ପ୍ରଦାନ କରାଯାଉଛି।
ଚଳିତ ବର୍ଷ ପାଇଁ ମନୋନୀତ ହୋଇଥିବା କବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ୮ଟି କବିତା ପୁସ୍ତକ ଓ ଗୋଟିଏ ପତ୍ର ଉପନ୍ୟାସ ଲେଖିଛନ୍ତି। ଓଡ଼ିଆ କବିତା କ୍ଷେତ୍ରରେ ସେ ବେଶ ପରିଚିତ।
ସ୍ମୃତି କମିଟି ପକ୍ଷରୁ ଆଗାମୀ ଜୁଲାଇ ୫ ତାରିଖ ସନ୍ଧ୍ୟାରେ ଷ୍ଟେସନ କ୍ଲବ ସଭାଗୃହରେ ଆୟୋଜିତ ହେବାକୁଥିବା ନବମ ବାର୍ଷିକ ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ଉତ୍ସବ ପାଳନ ଅବସରରେ ଶୁଭଶ୍ରୀ ଶୁଭସ୍ମିତାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ କୃଷ୍ଣ କୁମାର ମହାନ୍ତି ଏବଂ ଉତ୍ପଳ ମହାନ୍ତି ସୂଚନା ଦେଇଛନ୍ତି।
ଏହି ସ୍ମୃତି ଉତ୍ସବରେ ବିଶିଷ୍ଟ କବି ବିପିନ ନାୟକ ଏବଂ ସୁଖ୍ୟାତ କବି କେ. ଶ୍ୟାମବାବୁ ଦୋରା ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଅଧ୍ୟକ୍ଷତା କରିବେ ସଭାପତି ସୁବାସ ଚନ୍ଦ୍ର ପାତ୍ର।
Tags: #ChandraKumarMohantyKabitaPuraskar2025 #ShubhashreeSuvasmitaMishra #Balasore #Odisha


















