ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଶ୍ରୀମନ୍ଦିର ସେବାୟତ ଓ ଲକ୍ଷ ଲକ୍ଷ ଭକ୍ତ ଭକ୍ତି ଭାବରେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଟାଣି ନେଉଛନ୍ତି।

ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ଅପରାହ୍ଣ ୪ଟା ସମୟରେ ବଡ଼ଦାଣ୍ଡରେ ତାଳଧ୍ଵଜ ରଥ ଗଡ଼ିବା ଆରମ୍ଭ କରିଥିଲା। ଏହାପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହେବ।

ରଥଯାତ୍ରା ପାଇଁ ଗୁରୁବାର ବିଳମ୍ବିତ ରାତିରୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୧୦ରେ ମଇଲମ ନୀତି, ସକାଳ ୬ଟା ୩୦ରେ ତଡ଼ପଲାଗି ନୀତି ଓ ରୋଷ ହୋମ, ସକାଳ ୭ଟାରେ ଅବକାଶ ନୀତି, ସକାଳ ୭ଟା ୧୦ରେ ସୂର୍ଯ୍ୟ ପୂଜା, ସକାଳ ୭ଟା ୩୦ରୁ ଦ୍ଵାରପାଳ ପୂଜା ଓ ବେଶ ଶେଷ ହୋଇଥିଲା।

ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବା ପରେ ସକାଳ ୯ଟା ୧୫ରେ ମଙ୍ଗଳାର୍ପଣ। ଏହା ପରେ ସକାଳ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ଦିନ୧୨ଟା ୩୦ରେ ପହଣ୍ଡି ଶେଷ ହୋଇଥିଲା। ଏହା ପରେ ଦିନ ୧୨ଟା ୩୦ରୁ ୧ଟା ଶ୍ରୀମଦନ ମୋହନ ଏବଂ ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଦିନ ୧ଟା ୩୦ରୁ ୨ଟା ଚିତା ଲାଗି ନୀତି, ଦିନ ୧ଟା ୩୦ରୁ ୨ଟା ୩୦ ବେଶ ଶେଷ ହୋଇଥିଲା।

ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ଚାଳମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା କାର୍ଯ୍ୟ ଶେଷ ହୋଇଥିଲା। ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍ଣ ୪ଟାରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ।

ପହଣ୍ଡି ବିଜେ ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ, ଏହାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା କରିଥିଲେ।

ଛେରାପହଁରା ନୀତି ସରିବାପରେ ରଥରୁ ଶ୍ରୀଜୀଉଙ୍କ ଆଜ୍ଞାମାଳ ବାହାର କରାଯାଇ ଘୋଡ଼ା ଲଗାଯାଇଥିଲା। ଏହାପରେ ତାଳଧ୍ଵଜ ରଥ ଟଣା ଆରମ୍ଭ ହୋଇଛି।

ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ବଡ଼ଦାଣ୍ଡର ପରିବେଶକୁ ଆହୁରି ଭକ୍ତିମୟ କରିଦେଇଛି। ଲକ୍ଷାଧିକ ଭକ୍ତ ସମାଗମ ସହ ଘଣ୍ଟଘଣ୍ଟା ଓ ହୁଳହୁଳିରେ ପ୍ରକମ୍ପିତ ହୋଇପଡ଼ୁଛି ବଡଦାଣ୍ଡ। ପୁରୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tags: #RathaJatra #TaladhwajaRath #LordBalabhadra #BadaDanda #Puri

Comment