ଓଡ଼ିଶାଲାଇଭ ବ୍ୟୁରୋ

ସୁନାବେଶ ଅନୁଷ୍ଠିତ ହେବା ପରେ ଆଜି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ଓ ନୀଳାଦ୍ରିବିଜେ ପୂର୍ବରୁ ଶ୍ରୀଜିଉଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏଥିରେ ରଥରେ ବିଜେ କରିଥିବା ତିନି ଠାକୁରଙ୍କୁ ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ।

ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ।

ରଥଗୁଡ଼ିକରେ ଥିବା ପାର୍ଶ୍ଵଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି। ପଣା ହାଣ୍ଡି ଭାଙ୍ଗିଲେ ପଣା ସବୁ ରଥତଳକୁ ବୋହିଯାଏ। ତାହାକୁ ଅନ୍ୟ ଦେବଦେବୀ, ଭୂତପ୍ରେତ, କିନ୍ନର ଓ ରାକ୍ଷସମାନେ ପାଇଥାନ୍ତି ବୋଲି କୁହାଯାଏ।ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।

ତେବେ ଏହି ନୀତିର ବିଶେଷତ୍ୱ ହେଉଛି ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ବିଶ୍ରାମ ପାଇଥାଉ, ଠିକ ସେହିପରି ମହାପ୍ରଭୁଙ୍କୁ ପଣା ଦିଆଯାଏ। ପଣା ପିଇ ମହାପ୍ରଭୁଙ୍କ ଟିକେ ବିଶ୍ରାମ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି।

Tags: #AdharaPana #RathYatra #RathaJatra #ଅଧରପଣା

LEAVE A REPLY

Please enter your comment!
Please enter your name here