ଓଡ଼ିଶାଲାଇଭ୍ ବ୍ୟୁରୋ

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟରେ ରାଜନୈତିକ ଓ ପ୍ରଶାସନିକ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘରିଛନ୍ତି। ଅନ୍ୟପଟେ ଓଏଏସ୍ ସଂଘ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସହ ସଠିକ ତଦନ୍ତ ଦାବି କରାଯାଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରାଯାଇଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଓଏଏସ୍ ସଂଘ ନିଜର ସାମୂହିକ ଛୁଟିରେ ରହିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ତେବେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କରିବା ପ୍ରତିବାଦରେ ବିଏମସିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।

ସୋମବାର ବିଏମସି କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା। କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ। ଏହି ସମୟରେ ୫ରୁ ୭ ଜଣ ଦୁର୍ବୃତ୍ତ ରତ୍ନାକର ସାହୁଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ସେମାନଙ୍କୁ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି, ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଏହାପରେ ଅତିରିକ୍ତ କମିଶନରଙ୍କ ତରଫରୁ ଖାରବେଳ ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା।      

ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦାବି କରିଛନ୍ତି। ଅନ୍ୟପଟେ ସୋମବାର ରାତିରେ ଅନେକ ବିଜେଡି ନେତା ଓ କର୍ମୀ ବିଏମସି ଅଫିସ ଆଗରେ ଧାରଣା ଦେଇଥିଲେ।    

ବିଏମସିର ଅତିରିକ୍ତ କମିଶନରଙ୍କୁ ଆକ୍ରମଣକୁ ଦୁର୍ଭାଗ୍ୟଜନକ କଥା ବୋଲି କହିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ। ସେ କହିଛନ୍ତି ‘‘ବିଏମସି କାର୍ଯ୍ୟାଳୟରେ ପଶି ଜଣେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ ରାଜଧାନୀର ଭୁଶୁଡ଼ି ଯାଇଥବା ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦର୍ଶାଉଛି। ଯେଉଁ ଅମାନୁଷିକ ଭାବେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କରାଗଲା ଖୋଦ ରାଜଧାନୀରେ ସଭିଁଏ ଅସୁରକ୍ଷିତ ମନେ କରିବେ।”

ଅନ୍ୟପଟେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଆକ୍ରମଣ ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ଓ ଘୃଣ୍ୟ ବୋଲି କହିଛନ୍ତି। ସମ୍ପୃକ୍ତ ଦୃର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଦାବି କରିଛନ୍ତି।

Tags: #BMCADC #Attack #Protest #Bhubaneswar

Comment