ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରୁ ପ୍ରକାଶିତ ମାସିକ ସମ୍ବାଦ ଭିତ୍ତିକ ପତ୍ରିକା ‘ସମୟର ଚକ୍ର’ ର ୧୪ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବିତା ପାଠ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପତ୍ରିକା ମାଧ୍ୟମରେ ସାମାଜିକ ତଥା ଆଞ୍ଚଳିକ ବିକାଶରେ ‘ସମୟର ଚକ୍ର’ ନିଜକୁ ପ୍ରତିପାଦିତ କରିପାରିଛି ବୋଲି ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।
ପତ୍ରିକାର ସମ୍ପାଦକ ସର୍ବେଶ୍ୱର ଜେନାଙ୍କ ନେତୃତ୍ଵରେ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସମାଜସେବୀ କବି ଅଭୟ ଦାସ ସଭାପତିତ୍ୱ କରିଥିଲେ। ଉଦଘାଟକ ଭାବେ ଯୋଗ ଦେଇଥିଲେ ‘ଅପରାହ୍ଣ’ର ସମ୍ପାଦକ ବଂଶୀଧର ଜେନା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗ ଦେଇଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ଯୁବନେତା ବିକ୍ରମ ପଣ୍ଡା, ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନା, ଶିକ୍ଷାବିତ ସୁମନ୍ତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ, ଯୁବନେତା ବିକାଶ କୁମାର ପାଢ଼ୀ, ‘ନୂତନବାର୍ତ୍ତା’ର ସମ୍ପାପାଦକ ବିଭୁପଦ ଦାସ, ଯାତ୍ରା ସିଂହବାହିନୀର ପ୍ରତିଷ୍ଠାତା ସଞ୍ଜୀବ ପାଢ଼ୀ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିରିଥିଲେ।
ସମ୍ପାଦିକା ସତ୍ୟଭାମା ଜେନା ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ଅବସରରେ ‘ସମୟର ଚକ୍ର’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ କବି ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ କବିତା ପୁସ୍ତକ ‘ପ୍ରଥମ ପାଖୁଡ଼ା ଗୋଲାପି ଗୋଲାପର’ ଉନ୍ମୋଚନ କରାଯାଇଥିଲା।
ପ୍ରଥମ ଅଧିବେଶନରେ କବିତା ପାଠ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ ଏହାର ପରିଚାଳନା କରିଥିବା ବେଳେ କବି ବ୍ରଜେନ୍ଦ୍ରନାଥ ଗିରି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକ୍ଟର ରତ୍ନାକର ସିଂହ ଯୋଗ ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ କବି କାଳିକିଙ୍କର ଦାସ, ଡକ୍ଟର କୁମାର ବାବୁଲି, କବି ଅଞ୍ଜଳି ପଣ୍ଡା, କବି ହାଡ଼ିବନ୍ଧୁ ପାତ୍ର, ଆଚାର୍ଯ୍ୟ ବିଜୟ ଜୀ, ଡକ୍ଟର ଶରତଚନ୍ଦ୍ର ମିଶ୍ର, ଅମର କୁମାର ପାଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୪୦ରୁ ଊର୍ଦ୍ଧ୍ଵ କବି ସ୍ଵରଚିତ କବିତା ପାଠ କରିଥିଲେ। ଏହାକୁ କବି ପ୍ରଭାତ କୁମାର ଆଚାର୍ଯ୍ୟ ସଂଯୋଜନା କରିଥିଲେ।
ସୁସଙ୍ଗମ ଜେନା, ସନ୍ତୋଷ ପଟ୍ଟନାୟକ, ପ୍ରିୟାଂଶୁ ବେହେରା, କବି ରମେଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କୁନି କଣ୍ଠଶିଳ୍ପୀ ସୁହାନି ସାଈ ଜେନା ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ କଲ୍ୟାଣୀ ମଣ୍ଡଳଙ୍କ ସଂଗୀତରେ ଝୁମିଥିଲେ ଦର୍ଶକ।
Tags: #SamayaraChakra #AnnualFunction #Balasore #PrizeDistribution #Odisha


















