ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ବନ୍ୟା ସ୍ଥିତିରେ ସୁଧାର ଆସିନି। ଜଳ ଘେରରେ ରହିଛି ଶତାଧିକ ଗାଁ। ଏହାର ମଧ୍ୟରେ ଆସିଛି ଆଉ ଏକ ଦୁଃଖଦ ଖବର। ବନ୍ୟା ଜଳରେ ଭାସି ବସ୍ତା ବ୍ଲକ ଇଡିଦା ପଞ୍ଚାୟତ କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣି ପ୍ରାଣ ହରାଇଥିବା ଅଭିଯୋଗ ହେଉଛି।

ଜଳକା ନଦୀର ବନ୍ୟା ପାଣିରେ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବାସୁଚକୁରାଇଠାରେ ରାସ୍ତା ଉପରେ ଚାରି ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରାସ୍ତାକୁ ବନ୍ଦ କରାଯାଇନଥିଲା।

ସେହି ରାସ୍ତା ଦେଇ ସନ୍ଧ୍ୟା ସମୟରେ ଶତ୍ରୁଘ୍ନ ବାସୁଚାକୁରାଇ ହାଟକୁ ଆସିଥିଲେ। ହାଟରୁ ଫେରିବା ସମୟରେ ବନ୍ୟା ସେ ପାଣିରେ ଭାସି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ପାଇନଥିଲେ। ପରେ ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ନଦୀ ଭିତରୁ ଶତ୍ରୁଘ୍ନଙ୍କୁ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବସ୍ତା ବିଧାୟିକା ସୁବାସିନୀ ଜେନା ଡାକ୍ତରଖାନାରେ ପହଞ୍ଚି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ଥିଲେ। ଘଟଣାକୁ ନେଇ ସେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ। ରାଜ୍ୟ ସରକାର ତୁରନ୍ତ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ବିଧାୟିକା ଦାବି କରିଛନ୍ତି।

Tags: #FloodSituation #Balasore #Death #Odisha

Comment